ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମିଳିଲା ନୂଆ ତଥ୍ୟ
ଆତଙ୍କବାଦୀମାନେ ଆକ୍ରମଣ ପାଇଁ ବ୍ୟବହାର କରିଥିଲେ ଏକେ-୪୭ ଏବଂ ଏମ୪ ଆସଲ୍ଟ ରାଇଫଲ
ଆକ୍ରମଣ ପୂର୍ବରୁ ଦୁର୍ଗମ ଅଞ୍ଚଳରେ ୨୨ ଘଣ୍ଟା ଚାଲିଥିଲେ ଆତଙ୍କୀ
ନୂଆଦିଲ୍ଲୀ, ୨୭/୦୪: ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତରେ ମିଳିଛି ନୂଆ ତଥ୍ୟ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏହି ତଦନ୍ତ ଆରମ୍ଭ କରିଥିବା ବେଳେ ଦିନକୁ ଦିନ ନୂଆ ତଥ୍ୟ ମିଳୁଛି।
ନୂଆ ତଥ୍ୟରୁ ଜଣାପଡିଛି ଯେ ଏପ୍ରିଲ ୨୨ ତାରିଖରେ ଆତଙ୍କବାଦୀମାନେ କୋକେରନାଗ ଜଙ୍ଗଲରୁ ବୈସରନ ଉପତ୍ୟକା ପର୍ଯ୍ୟନ୍ତ ଦୁର୍ଗମ ଅଞ୍ଚଳ ଦେଇ ୨୨ ଘଣ୍ଟା ଯାତ୍ରା କରି ଏହି ଆକ୍ରମଣକୁ ସଫଳ ରୂପ ଦେଇଥିଲେ। ଏହି ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଜଣେ ସ୍ଥାନୀୟ ବାସିନ୍ଦା ଏବଂ ଅନ୍ୟ ଜଣେ ପର୍ଯ୍ୟଟକଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ସେମାନେ ଏକେ-୪୭ ଏବଂ ଏମ୪ ଆସଲ୍ଟ ରାଇଫଲ ବ୍ୟବହାର କରି ଆକ୍ରମଣ କରିଥିଲେ। ପ୍ରଥମେ ୪ ଜଣଙ୍କୁ କଲାମ ପଢିବାକୁ କହିବା ପରେ ୪ ଜଣଙ୍କୁ ହତ୍ୟା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଜଣକ ପରେ ଜଣଙ୍କୁ ହତ୍ୟା କରିଥିଲେ।
ଏଥିରେ ୪ ଜଣ ଆତଙ୍କବାଦୀ ସମ୍ପୃକ୍ତ ଥିବା ବେଳେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ଏବଂ ଜଣେ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଠୋକର ରହିଛି। ପ୍ରଥମେ ୨୦୧୮ରେ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିବା ଠୋକର ପାକିସ୍ତାନ ଯାଇଥିଲେ। ସେଠାରେ ଲସ୍କର-ଇ-ତୋଏବା ସଂଗଠନରେ ପ୍ରଶିକ୍ଷଣ ନେଇଥିଲେ। ଗତ ବର୍ଷ ଜମ୍ମୁକାଶ୍ମୀର ପ୍ରତ୍ୟାବର୍ତ୍ତନ କରି ଆତଙ୍କୀ କାର୍ଯ୍ୟକଳାପରେ ଜଡିତ ରହୁଥିଲା ଏବଂ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଲଜିଷ୍ଟିକ ଯୋଗାଇ ଦେବା ସହ ସ୍ଥାନୀୟ ଅଞ୍ଚଳ ସଂକ୍ରାନ୍ତରେ ତଥ୍ୟ ପ୍ରଦାନ କରୁଥିଲା।