ମାଟ୍ରିକ ରେଜଲ୍ଟ ପ୍ରକାଶିତ : ରାଜ୍ୟରେ ୯୪.୯୩ % ମୋଟ୍ ପାସ୍ ହାର

ମେ ୧୪ ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନ

୭୨ ଘଣ୍ଟା ପରେ ପାଇବେ ଡିଜିଟାଲ ମାଟ୍ରିକ ପ୍ରମାଣପତ୍ର

ଭୁବନେଶ୍ବର, ୦୨/୦୫: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୨ ହଜାର ୪୧୭ ଜଣ  ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪ ଲକ୍ଷ ୮୪ ହଜାର ୮୬୩  ଜଣ ପାସ୍ ହୋଇଛନ୍ତି ।  ଚଳିତଥର ପାସ୍‌ହାର ୯୪.୯୩ % ରହିଛି । ସେହିପରି ଛାତ୍ରଙ୍କ ପାସ୍‌ହାର ୯୪  % ଥିବାବେଳେ ଛାତ୍ରୀଙ୍କ ପାସ୍‌ହାର ୯୬ % ରହିଛି । ତେବେ କୌଣସି ସ୍କୁଲରେ ପରୀକ୍ଷା ଫଳ ଶୂନ ନାହିଁ । ରାଜ୍ୟର  ୩୨୭୩  ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି ।

ଚଳିତବର୍ଷ ରେଗୁଲାର୍‌ରେ ୫ଲକ୍ଷ ୧୦ ହଜାର ୭୭୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ  ୫ ଲକ୍ଷ ୨  ହଜାର ୪୧୭ ଜଣ  ରେଗୁଲାର୍ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୪  ଲକ୍ଷ ୮୪ ହଜାର ୮୬୩  ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ୨  ଲକ୍ଷ ୪୦ ହଜାର ୨୫୧ ଜଣ ଛାତ୍ର ପାସ୍ ହୋଇଥିବା ବେଳେ ୨ ଲକ୍ଷ ୪୪  ହଜାର ୬୧୨ ଜଣ ଛାତ୍ରୀ ପାସ୍ କରିଛନ୍ତି ।  ଏଥିରେ A1 ଗ୍ରେଡ୍ ରେ ୧୮୧୨, A2 ଗ୍ରେଡ୍ ରେ ୧୨,୨୦୦ , B1 ଗ୍ରେଡ୍ ରେ ୩୮, ୮୩୧ ଜଣ, B2 ଗ୍ରେଡ୍ ରେ ୮୪ ହଜାର ୯୭୧ ଜଣ, C ଗ୍ରେଡ୍ ରେ ୧  ଲକ୍ଷ ୩୩  ହଜାର ୮୮୨  ଜଣ ପାସ୍,  D ଗ୍ରେଡ୍ ରେ  ୧ ଲକ୍ଷ  ୪୬ ହଜାର ୧୫୪ ଜଣ,  E ଗ୍ରେଡ୍ ରେ  ୬୭୦୧୩ ରେ  ହୋଇଛନ୍ତି । ସେହିପରି ମଧ୍ୟମାରେ ୨୯୧୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୮୬୮   ଜଣ ପାସ୍‌ କରିଛନ୍ତି । ମଧ୍ୟମାରେ ପାସ୍‌ହାର ରହିଛି ୮୫.୭୯ % । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (SOCS) ରେ ୫୫୯୧ ଜଣ ପରୀକ୍ଷା ଦେଇଥିବା ବେଳେ ୪୧୮୧ ଜଣ ପାସ୍ କରିଛନ୍ତି । ପାସ୍ ହାର ୭୪.୭୮ % ରହିଛି ।

ଗଜପତି ଜିଲ୍ଲାରେ ସର୍ବାଧିକ ୯୯. ୩୫ ପ୍ରତିଶତ ପାସ୍ ହାର ରହିଥିବା ବେଳେ କୋରାପୁଟରେ ସର୍ବନିମ୍ନ ୯୨.୮୩  ପ୍ରତିଶତ ପାସ୍ ହାର ରହିଛି । ସେହିଭଳି କଟକରେ ପାସ୍‌ହାର ରହିଛି ୯୭.୬୮%। ଜଗତସିଂହପୁରରେ ୯୭.୦୯ %, ଯାଜପୁରରେ ୯୫.୦୪ %, କେନ୍ଦ୍ରାପଡାରେ ୯୬.୪୧%, ରାୟଗଡାରେ ୯୭.୩୩ %, ମାଲକାନଗିରିରେ ୯୬.୪୧ %, ନବରଙ୍ଗପୁର ରେ  ୯୫.୧୭ % ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ସେହିଭଳି, ଅନଗୁଳରେ ୯୫.୮୮ %, ଢେଙ୍କାନାଳରେ ୯୩.୭୧ %, ପୁରୀରେ ୯୭.୧୭ %, ଖୋର୍ଦ୍ଧାରେ ୯୭.୩୧ %, ନୟାଗଡ଼ରେ ୯୬.୯୧ %, ବାଲେଶ୍ୱରରେ ୯୭.୫୬ %, ଭଦ୍ରକରେ ୯୫.୬୭%, କେନ୍ଦୁଝରରେ ୯୪.୩୦ %, ମୟୂରଭଞ୍ଜରେ ୯୬.୯୯% ପାସ୍‌ହାର ରହିଛି । ଗଞ୍ଜାମରେ ୯୮.୧୦%, ବୌଦ୍ଧରେ ୯୭.୪୧ %, କନ୍ଧମାଳରେ ୯୭.୪୫ %, କଳାହାଣ୍ଡିରେ ୯୫.୨୨ %,  ନୂଆପଡାରେ ୯୭.୦୫%,  ବରଗଡ଼ରେ ୯୭.୦୯ %, ସମ୍ୱଲପୁରରେ ୯୭.୨୬%, ଦେବଗଡ଼ରେ ୯୬.୧୭ % ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଝାରସୁଗୁଡାରେ ୯୭.୮୭ %, ବଲାଙ୍ଗୀରରେ ୯୫.୪୮ %, ସୋନପୁରରେ ୯୬.୨୨%, ସୁନ୍ଦରଗଡ଼ରେ ୯୭.୬୧% ପାସ୍ ହାର ରହିଛି ।

ୱେବସାଇଟ www.bseodisha.ac.in ରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ । ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ । ଏଥିପାଇଁ OR10 < ROLL NUMBER > ଲେଖି 5676750କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ । ପରୀକ୍ଷା ଫଳ ସମ୍ବନ୍ଧରେ ଯେକୌଣସି ସମସ୍ୟା ଥିଲେ 0671-2412059, 2412060 ଏବଂ 8763088890 ମାଧ୍ୟମରେ ଯୋଗାଯୋଗ କରି ସମାଧାନ ପାଇପାରିବେ । ଏହି ସେବା ସକାଳ ୧୦  ଟା ବାଜି ୩୦ ମିନିଟ୍ ରୁ ଅପରାହ୍ଣ ୫  ଟା ଯାଏଁ ସମସ୍ତ କାର୍ଯ୍ୟ ଦିବସରେ ଉପଲବ୍ଧ ହେବ । ଏହା ମେ ୨  ରୁ ୯ ତାରିଖ ଯାଏଁ ଉପଲବ୍ଧ ରହିବ ।

ଚଳିତ ବର୍ଷ ୭୨ ଘଣ୍ଟା ପରେ ୱେବସାଇଟ୍ https://bsedigicertificate.odisha.gov.in/ ମାଧ୍ୟମରେ ଡିଜିଟାଲ୍ ମାଟ୍ରିକ୍ ପ୍ରମାଣପତ୍ର ପାଇପାରିବେ ଛାତ୍ରଛାତ୍ରୀ । ଏଥିସହ ହ୍ବାଟ୍ସଆପ ନମ୍ବର 77100-58192 ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ଡିଜିଟାଲ ମାଟ୍ରିକ ପ୍ରମାଣପତ୍ର ପାଇପାରିବେ । ମେ’ ୫ ରୁ ମେ’ ୧୬  ମଧ୍ୟରେ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ । ଅନଲାଇନ୍‌ ମାଧ୍ୟମରେ ହାଇସ୍କୁଲ ସାର୍ଟିଫିକେଟ୍ ଛାତ୍ରଛାତ୍ରୀ ଆବେଦନ କରିପାରିବେ ଏବଂ ଅଫଲାଇନ୍‌ SOCS ଏବଂ ମଧ୍ୟମା ଛାତ୍ରଛାତ୍ରୀ ଆବେଦନ କରିବେ । ଏଥିସହ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ  ୱେବସାଇଟ www.bseodisha.ac.in ମାଧ୍ୟମରେ ମେ ୧୪ ରୁ ମେ ୨୬ ମଧ୍ୟରେ ଆବେଦନ କରିପାରିବେ ।