ଋଷ ବିଜୟ ଦିବସ ଅବସରରେ ସମ୍ମାନିତ ହେବେ ବିଜୁ ପଟ୍ଟନାୟକ

ଆୟୋଜିତ ସମାରୋହରେ ଯୋଗ ଦେବା ପାଇଁ ନବୀନ ପଟ୍ଟନାୟକଙ୍କୁ ଚିଠି

ନୂଆଦିଲ୍ଲୀ, ୦୬/୦୫: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି ଜର୍ମାନୀ ଉପରେ ସୋଭିଏତ ସଂଘର ବିଜୟକୁ ପାଳନ କରିବ ଋଷ। ଋଷର ଏହି ବିଜୟ ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରୁଷଦୂତାବାସ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବାକୁ ଯାଉଛି। ଆସନ୍ତା ମେ ୯ ତାରିଖରେ ପାଳିତ ହେବାକୁ ଥିବା ବିଜୟ ଦିବସର ୮୦ତମ ବାର୍ଷିକୀରେ ଏହି ସମ୍ମାନ ଦିଆଯିବ।

ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବିଜୟ ଦିବସ ସମାରୋହରେ ଯୋଗଦେବା ପାଇଁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭାରତରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ ନିମନ୍ତ୍ରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମୁଖ୍ୟ ଅତିଥି ଭାବେ ଯୋଗଦେବେ।