୪ ଟନ ବିସ୍ଫୋରକ ସାମଗ୍ରୀ ହାଇଜାକ: ସୁନ୍ଦରଗଡ଼ରେ ପୋଲିସ ଡିଜି ଓ ଏନଆଇଏ

ମାଓବାଦୀମାନେ କରିଥିଲେ କି ସ୍ୱତନ୍ତ୍ର ରଣନୀତି ନା ତାଙ୍କୁ କିଏ ସୁରାକ ଦେଇଥିଲା? ଏନଆଇଏ ପାଇଁ ଚ୍ୟାଲେଞ୍ଜ ବିସ୍ଫୋରକ ସାମଗ୍ରୀ ଉଦ୍ଧାର। ୨୦୨୫ରେ ପୁନରାବୃତ୍ତି ହେଲା ୨୦୦୯ର ଘଟଣା।

ଡ୍ରାଇଭରଙ୍କ ମୁହଁରୁ ଶୁଣନ୍ତୁ କେମିତି ଲୁଟ୍ କରିଥିଲେ ମାଓବାଦୀ

ସୁନ୍ଦରଗଡ, ୨୯/୦୫: ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରୁ ଲୁଟ ହୋଇଛି ୪ ଟନର ବିସ୍ଫୋରକ ସାମଗ୍ରୀ। ଏହି ବିସ୍ଫୋରକ ସାମଗ୍ରୀ ମାଓବାଦୀମାନେ ଲୁଟି ନେଇଥିବା ସ୍ପଷ୍ଟ ହୋଇଛି। ଝାଡ଼ଖଣ୍ଡର ମାଓବାଦୀ ମାନେ ଏହି ବିସ୍ଫୋରକ ସାମଗ୍ରୀ ଲୁଟ୍ କରିଥିବା ବେଳେ କେଉଁ ଗୋଷ୍ଠୀ ଏହାକୁ ଲୁଟ୍ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ପଥରଖଣିକୁ ଏହି ବିସ୍ଫୋରକ ସାମଗ୍ରୀ ଆସୁଥିବା ବେଳେ ରାସ୍ତାରୁ ଲୁଟି ନେଇଛନ୍ତି ୪୦ ଜଣ ମାଓବାଦୀ। ବିସ୍ଫୋରକ ସାମଗ୍ରୀ ଲୁଟ୍ କରିବା ଘଟଣାର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ସୁନ୍ଦରଗଡ ଜିଲ୍ଲାର କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଅଞ୍ଚଳରେ ଏନଆଇଏ ତଦନ୍ତ କରିଛି।

ବିସ୍ଫୋରକ ସାମଗ୍ରୀ ଯେଉଁ ଗାଡିରୁ ହାଇଜାକ ହୋଇଥିଲା, ସେହି ଗାଡ଼ିର ଡ଼୍ରାଇଭର କହିଛନ୍ତି, ମୋତେ ଧମକାଇ ଜଙ୍ଗଲ ଭିତରକୁ ବିସ୍ଫୋରକ ଭର୍ତ୍ତି ଟ୍ରକ ନେଇଗଲେ। ୩୦ରୁ ଅଧିକ ମାଓବାଦୀ ଆସି ଗାଡ଼ିରୁ ସବୁ ସାମଗ୍ରୀ ନେଇଗଲେ। ପାକି କଲେ ଜୀବନରୁ ମାରି ଦେବାକୁ ଧମକ ଦେଲେ‌। ଗାଡିରୁ ଓହ୍ଲେଇକି ମୋତେ ଦୂରରେ ନେଇ ଖରାରେ ବସାଇ ଦେଲେ।

ସୂଚନାଯୋଗ୍ୟ, ଟ୍ରକ ଭର୍ତ୍ତି ଖଣି ସାମଗ୍ରୀ ବାଙ୍କି ଖଣିକୁ ଯିବା ସମୟରେ ପିଛା କରିଥିଲେ ଦୁଇ ବନ୍ଧୁକ ଧାରୀ। ଖଣିରେ ପହଞ୍ଚି ମାଲ ଓହ୍ଲାଇବା କ୍ଷଣି ହିଁ ଲୁଟ୍ କରିବା ପାଇଁ ଯୋଜନା ଚଳାଇଥିଲେ। ଅନ୍ୟପଟେ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ଯେଉଁ ଗାଡ଼ିରେ ଆସୁଥିଲା, ସେ ଗାଡିରେ ସୁରକ୍ଷା ବ୍ୟବସ୍ଥା କଡାକଡି କାହିଁକି କରା ଯାଇ ନଥିଲା ବୋଲି ପ୍ରଶ୍ନ ଉଠିଛି। ଯଦି ସେହି ସାମଗ୍ରୀ ଉଦ୍ଧାର କରା ନ ଯାଏ ତାହାଲେ ଆଗକୁ ମାଓବାଦୀଙ୍କ ଦ୍ୱାରା ବଡ଼ ବିପଦ ସୃଷ୍ଟି ହେବାକୁ ଯାଉଛି ବୋଲି ଆଶଙ୍କା କରାଯାଇଛି। ଖଣି ଅଞ୍ଚଳ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥାରେ ଢ଼ିଲା ଥିବା ଦେଖି ଝାଡଖଣ୍ଡି ମାଓବାଦୀମାନେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ ବୋଲି ସ୍ପଷ୍ଟ ହୋଇଛି‌। ଟ୍ରକ ଭର୍ତ୍ତି ବିସ୍ଫୋରକ ସାମଗ୍ରୀ ଯାଉଥିବାର ସୁରାକ କେମିତି ପାଇଲେ ମାଓବାଦୀ ବୋଲି ପ୍ରଶ୍ନ ଉଠିଛି।

ସୂଚନାଯୋଗ୍ୟ, ୨୦୦୯ ମସିହାରେ ସମାନ ଢଙ୍ଗରେ ଚାନ୍ଦିପୋଷ ଥାନା ଅଞ୍ଚଳରୁ ମାଓବାଦୀ ଲୁଟି ନେଇଥିଲେ ବିସ୍ଫୋରକ ବୋଝେଇ ଟ୍ରକ୍। ପୁଣି ଏପରି ଘଟଣାର ପୁନରାବୃତ୍ତି ହୋଇଛି ୨୦୨୫ ମସିହା ମେ’ ୨୭ ତାରିଖରେ। ଏହି ଘଟଣାର ତଦନ୍ତ ଆରମ୍ଭ କରିବା ପାଇଁ ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି ପୋଲିସ ଡିଜି। ରାତି ତମାମ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଓଡ଼ିଶା ଝାଡ଼ଖଣ୍ଡ ସୀମା ସିଲ୍ କରାଯାଇ ସରଣ୍ଡା ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି।