ଭବ୍ୟ ହେବ ଶୀତଳ ଷଷ୍ଠୀ ଯାତ୍ରା

୫୦ ଲକ୍ଷର ଆର୍ଥିକ ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯/୦୫: ସମ୍ବଲପୁରରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ୫୦ ଲକ୍ଷର ଅନୁଦାନ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୀତଳ ଷଷ୍ଠୀକୁ ଭବ୍ୟ ଢଙ୍ଗରେ ପାଳନ କରିବା ସହ ପ୍ରଚାର ଓ ପ୍ରସାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଆର୍ଥିକ ଅନୁଦାନ ରାଶି ଘୋଷଣା କରିଛନ୍ତି।

ଏ ନେଇ ମୁଖ୍ୟମନ୍ତ୍ରୀ ଏକ୍ସ ଆକାଉଣ୍ଟରେ ସୂଚନା ଦେଇ କହିଛନ୍ତି, ‘ଶୀତଳ ଷଷ୍ଠୀ ଯାତ୍ରା’ ଆମ ସଂସ୍କୃତି, ପରମ୍ପରାର ଅନନ୍ୟ ବାର୍ତ୍ତାବହ। ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଐତିହ୍ୟ ସମ୍ପନ୍ନ ‘ଶୀତଳ ଷଷ୍ଠୀ’ ଯାତ୍ରାକୁ ଆହୁରି ଭବ୍ୟ କରିବା ସହ ଏହାର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ଘୋଷଣା କରୁଛି।

ଲୋକଙ୍କ ସରକାରରେ ମହନୀୟ ହେବ ଲୋକ ପରମ୍ପରା, ଗରିମାମୟ ହେବ ଓଡ଼ିଆ ଅସ୍ମିତା।”

ସୂଚନାଯୋଗ୍ୟ, ପୂର୍ବରୁ ସମ୍ବଲପୁର ସହର ସମେତ ପଶ୍ଚିମ ଓଡ଼ିଶାରେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ରାଜ୍ୟ ସରକାର ୧ କୋଟି ୮୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରିଥିଲେ।