ହୋମଗାର୍ଡ ନିଯୁକ୍ତି ପରୀକ୍ଷା ବେଳେ ଟଳି ପଡିଲେ ଦୁଇ ପ୍ରାର୍ଥୀ

ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯/୦୫: ଆଜି ଗଜପତି ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ ପ୍ରଥମେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ପରେ ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରାମଗିରି ଥାନା ଅନ୍ତର୍ଗତ ପାରିସାଲ ଗ୍ରାମର ସୁମନ୍ତ ମିଶାଲଙ୍କ ମୃତ୍ୟୁ ଘଟିଥିଲା। ଦୌଡ଼ ପରୀକ୍ଷା ବେଳେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଏହି ଦୌଡ଼ ପରୀକ୍ଷାରେ ଅନ୍ୟ ଜଣେ ଗୁରୁତର ହୋଇଥିବା ନାରାୟଣପୁରର ଦୀପକ ପାଡାଲ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଏ ନେଇ ଉଭୟ ହୋମଗାର୍ଡ ପରୀକ୍ଷାର୍ଥୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଉଭୟଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି।