RW ଡିଭିଜନ ମୁଖ୍ୟଯନ୍ତ୍ରୀଙ୍କ ଘରେ ଶହ ଶହ ବଣ୍ଡଲ ନୋଟ
ଏଯାଏ ମିଳିଲାଣି ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା, ଦାମୀ ଶାଢ଼ୀ ଓ ଦାମୀ ପ୍ଲଟ ଠାବ
ଭିଜିଲାନ୍ସ ଦେଖି ଛାତରୁ ଫିଙ୍ଗିଲେ ପୁଳାପୁଳା ଟଙ୍କା
ଭୁବନେଶ୍ୱର, ୩୦/୦୫: ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ମୁଖ୍ୟ ଯନ୍ତ୍ରୀ। ଆଉ ଦୁଇ ଦିନ ପରେ ଅବସର ନେଇଥାନ୍ତେ। ଅବସର ନେବା ପୂର୍ବରୁ ହିଁ ଭିଜିଲାନ୍ସ ଜାଲରେ ଫସ ଯାଇଛନ୍ତି।
ଅନୁଗୁଳ, ପୁରୀ ଓ ଭୁବନେଶ୍ୱର ସ୍ଥିତ ଘରେ ଏକକାଳୀନ ଚଢ଼ାଉ କରାଯାଇଛି। ଅନୁଗୁଳ କରଡାଗାଡିଆରେ ଥିବା ଦୁଇ ମହଲା କୋଠା, ଲୋକେଇପାସିରେ ଥିବା ପୈତୃକ ଘର, ମାଟିଆ ସାହିରେ ଥିବା ଦୁଇ ମହଲା ଘରର, ଶିକ୍ଷକପଡାରେ ଥିବା ସମ୍ପର୍କୀୟଙ୍କ ଘର, ପୁରୀର ପିପିଲି ରେ ଥିବା ଫ୍ଲାଟ, ଭୁବନେଶ୍ୱରର ଡୁମୁଡୁମାରେ ଥିବା ଫ୍ଲାଟ ଓ ତାଙ୍କ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରାଯାଇଛି।
ଚଢାଉ ବେଳେ ଡୁମୁଡୁମା ସ୍ଥିତ ଘରୁ ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ସୁନାଗହଣା ସହ ଦାମୀ ଶାଢ଼ୀ ମଧ୍ୟ ଜବତ କରିଛି ଭିଜିଲାନ୍ସ। ଏଯାଏ ତାଙ୍କର ୬ଟି ଦାମୀ ପ୍ଲଟ, ୨ଟି ଦୁଇ ମହଲା ବିଶିଷ୍ଟ କୋଠା ମଧ୍ୟ ଠାବ କରାଯାଇଛି।
ତେବେ ଭିଜିଲାନ୍ସକୁ ଦେଖି RW ଡିଭିଜନ ମୁଖ୍ୟଯନ୍ତ୍ରୀଙ୍କ ଘରେ ରେଡ୍ ବେଳେ ଝରକା ପଟେ ଫିଙ୍ଗି ଦେଇଥିଲେ ପୁଳା ପୁଳା ଟଙ୍କା। ଏବେ ଯାଏଁ ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହେଲାଣି। ଭୁବନେଶ୍ବର ସ୍ଥିତ ବାସଭବନରୁ ୧ କୋଟି ମିଳିଲାଣି। ଅନୁଗୁଳ ସ୍ଥିତ ବାସଭବନରୁ ୧ କୋଟି ୪୦ ଲକ୍ଷ ଟଙ୍କାର ନଗଦ ମିଳିଛି। ସେହିପରି ସେୟାର ମାର୍କେଟରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନିବେଶ କରିଥିବା ଖବର ମଧ୍ୟ ସାମନାକୁ ଆସିଛି।