ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦/୦୫: ରାଜ୍ୟର ପ୍ରଥମ ବିଜେପି ବିଧାୟକ ତଥା କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଗୁରୁବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

ସେ ରାଜ୍ୟରେ ପ୍ରଥମ ବିଜେପି ବିଧାୟକ ହୋଇଥିଲେ।କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଥିଲେ। ୧୯୭୭ରେ ପ୍ରଥମ କରି ଜନତା ଦଳରୁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୮୫ରେ ଭାରତୀୟ ଜନତା ପାର୍ଟି ଏବଂ ୧୯୯୦ରେ ପୁଣିଥରେ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଶ୍ରୀ ପଟ୍ଟନାୟକଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକରେ ଛାୟା ଖେଳି ଯାଇଛି। ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତରେ କହିଛନ୍ତି, “ଓଡ଼ିଶା ରାଜନୀତିର ପରିଶ୍ରମୀ ନେତା ତଥା ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ଶ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ ଓ ସ୍ତବ୍ଧ। ଶିକ୍ଷା, ସମାଜସେବା ଓ ରାଜନୀତି କ୍ଷେତ୍ରରେ ତାଙ୍କର ଅବଦାନ ଏବଂ ଦଳର ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ଦିବଂଗତ ଆତ୍ମା ପ୍ରତି ମୋର ଗଭୀର ସମବେଦନା । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଏହି କଠିନ ସମୟରେ ତାଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ।”

ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଦୁଃଖ ପ୍ରକାଶ କରି କହିଛନ୍ତି, “ଓଡ଼ିଶାର ଜଣେ ପ୍ରବୀଣ ନେତା ତଥା ଓଡ଼ିଶା ପ୍ରଦେଶ ପ୍ରଥମ ବିଜେପି ବିଧାୟକ ଶ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ ଏବଂ ମର୍ମାହତ। ଶିକ୍ଷା ଏବଂ ଜନସେବା କ୍ଷେତ୍ରରେ ତାଙ୍କର ଅବଦାନ କାମାକ୍ଷାନଗର ଏବଂ ରାଜ୍ୟ ପାଇଁ ଏକ ଅମିଶ୍ରିତ ଛାପ ଛାଡ଼ିଛି। ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ମୋର ଗଭୀର ସମବେଦନା ଜ୍ଞାପନ କରୁଛି। ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ। ଓଁ ଶାନ୍ତି!”

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କ ଶୋକ ବ୍ୟକ୍ତରେ କହିଛନ୍ତି, କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ଦୁଃଖିତ। ଜନସେବାରେ ତାଙ୍କର ଅବଦାନ ସ୍ମରଣୀୟ ରହିବ। ତାଙ୍କ ଆତ୍ମାର ଶାନ୍ତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଓମ୍ ଶାନ୍ତି।”