ଗିରଫ ହେଲେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ

୧୨ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା ପରେ ଗିରଫ

ଭୁବନେଶ୍ୱର, ୩୦/୦୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଭୁବନେଶ୍ୱର ଜୋନାଲ କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ସିବିଆଇ ୧୨ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିବା ପରେ ଗିରଫ କରିଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ।

ଗତ କାଲି ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ତାଙ୍କୁ ଗିରଫ କରିଥିଲା। ସିବିଆଇ ତାଙ୍କୁ ଅଟକ ରଖି ୧୨ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା।

ଗତ ଜାନୁଆରୀ ୮ ତାରିଖରେ ଭୁବନେଶ୍ୱରରେ ରହୁଥିବା ଖଣି ମାଲିକ ରତିକାନ୍ତ ରାଉତଙ୍କ ଖଣିରେ ଇଡି ପକ୍ଷରୁ ଅର୍ଥନୈତିକ ହେରଫେର ନେଇ ଚଢ଼ାଉ ହୋଇଥିଲା। କିନ୍ତୁ ଇଡିର ଡେପୁଟି ଡାଇରେକ୍ଟର ଏହି ମାମଲାକୁ ରଫାଦଫା କରିବା ପାଇଁ କହି ୫୦ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ। ଗତ କାଲି ୨୦ ଲକ୍ଷ ଟଙ୍କା ନେଲା ବେଳେ ହିଁ ସିବିଆଇ ତାଙ୍କୁ ମାଡ଼ି ବସିଥିଲା।