ଲାଞ୍ଚୁଆ ଡ଼ିଏସପି ଅଭିନବ ଡାଲୁଆଙ୍କୁ ୨ ଦିନ ରିମାଣ୍ଡରେ ନେଲା ଭିଜିଲାନ୍ସ

୩୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସରେ ଗିରଫ ହୋଇଥିବା ଢେଙ୍କାନାଳର ଲାଞ୍ଚୁଆ ଡ଼ିଏସପି ଅଭିନବ ଡାଲୁଆଙ୍କ ରିମାଣ୍ଡ ମଞ୍ଜୁର ହୋଇଛି। ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଭିଜିଲାନ୍ସକୁ ୨ଦିନ ରିମାଣ୍ଡ ନେବାପାଇଁ ଅନୁମତି ପ୍ରଦାନ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ୩ଦିନ ପାଇଁ ରିମାଣ୍ଡ ଆବେଦନ କରାଯାଇଥିଲା। ତେବେ କୋର୍ଟଙ୍କ ଅନୁମତି ମୁତାବକ ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ୱର ୮ତାରିଖ ପୂର୍ବାହ୍ଣ ୧୦ଟାରୁ ଭିଜିଲାନ୍ସ ଅଭିନବଙ୍କୁ ରିମାଣ୍ଡରେ ନେଇ ଆସନ୍ତା ୧୦ତାରିଖ ପୂର୍ବାହ୍ନ ୧୦ଟା ଭିତରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ପୁଣି ହାଜର କରାଇବ।

ସୂଚନା ଥାଉକି, ଗିରଫ ଏହି ଲାଞ୍ଚୁଆ ଡ଼ିଏସପି ଅଭିନବ ଡାଲୁଆ ସଦର ଥାନାଧିକାରୀ ଭାବେ ଦାଇତ୍ୱରେ ଥିଲେ । ଢେଙ୍କାନାଲ ଜିଲ୍ଲାରେ ସେ ଗତ ୨୦୧୬ମସିହାରୁ ଇନ୍ସପେକ୍ଟର ଭାବେ ଟାଉନ, କାମାକ୍ଷାନଗର ଓ ସଦର ଥାନା ଅଧିକାରୀ ଭାବେ ଥିଲାବେଳେ ବ୍ରାଉନ ସୁଗାର, ଗୋରୁ ଚାଲାଣ,କୋଇଲା କାରବାର,ପଥର ଓ ବାଲି ମାଫିଆ ଓ ବିଭିନ୍ନ ମାଫିଆଙ୍କ ସହ ସଲାସୁତରାରେ ଅନେକ ଚୋରା କାରବାରରେ ସମ୍ପୃପ୍ତ ଓ ବ୍ୟାପକ ଲାଞ୍ଚ କାରବାର କରୁଥିଲେ। ଏପରି ନିଜ  ସମ୍ପର୍କୀୟ ଓ ସହଯୋଗୀ ମାନଙ୍କ ନାମରେ କୋଟି କୋଟି ଟଙ୍କାର ବେଆଇନ ସମ୍ପତି ଠୁଳ କରିଥିବା ଅନେକ ଅଭିଯୋଗ ହୋଇଥିଲା ।