କଟକ ବଜାରରେ ପୁଣି ନକଲି ଔଷଧ!

କଟକ : କଟକ ବଜାରରେ ପୁଣି ନକଲି ଔଷଧ! ଏକ ଦାମୀ ବ୍ରାଣ୍ଡ୍‌ର ଔଷଧକୁ ନକଲ କରାଯାଇ ବଜାରକୁ ଛଡ଼ାଯାଇଛି। ଏହି ଔଷଧ ପାଟଣା, ବିହାର, ବେଙ୍ଗାଲୁରୁରୁ କଟକ, ଭୁବନେଶ୍ବରକୁ ଆସିଛି। କଟକରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏହି ନକଲି ଔଷଧ ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଟେଲ୍‌ମା-୪୦ ଓ ଟେଲ୍‌ମା- ଏଏମ୍‌ ଔଷଧର ନକଲି ବ୍ରାଣ୍ଡ୍‌ ବିକ୍ରି ହେଉଥିବା ଅଭିଯୋଗକୁ ଗତକାଲିଠାରୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି। କଟକର ମାଣିକଘୋଷ ବଜାର, ବାଙ୍କାବଜାର, ମଙ୍ଗଳାବାଗ, ବାଦାମବାଡି ସମେତ ୧୨ରୁ ଅଧିକ ସ୍ଥାନରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢଉ କରାଯାଇ ଏକ ଦାମୀ ବ୍ରାଣ୍ଡ କମ୍ପାନିର ନକଲି ଔଷଧକୁ ଜବତ କରାଯାଇଛି।

ଅନ୍ୟପଟେ କଟକର ଯେଉଁସବୁ ସ୍ଥାନରୁ ଔଷଧ ଜବତ୍‌ କରାଯାଇଛି, ସେହି ଔଷଧ ସବୁ ‌ଉକ୍ତ କମ୍ପାନି ପ୍ରସ୍ତୁତ କରି ନଥିବା ସ୍ପଷ୍ଟ ହୋଇଥିବା ବେଳେ ଏବେ ବିଭାଗ ଔଷଧର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛି। ନମୁନା ପରୀକ୍ଷା ରିପୋର୍ଟ ଆସିବାପରେ ଏହା ଅସଲି ନା ନକଲି ତାହା ସ୍ପଷ୍ଟ ହେବ। କିଛିମାସ ହେଲା ବଜାରକୁ ଏହି ଔଷଧ ଆସି ଥିବାରୁ ବିଭାଗ ପକ୍ଷରୁ ସତର୍କତାମୂଳକଭାବେ ଚଢଉ କରାଯାଇ ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି।