ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ମୃତ ସନ୍ତୋଷ ପରିଡାଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ବହନ କରିବେ ସରକାର

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର, ୧୨/୦୬: ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସନ୍ତୋଷ ପରିଡାଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ସରକାର ବହନ କରିବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।

ଗତକାଲି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ସନ୍ତୋଷଙ୍କ ନିକଟ ସମ୍ପର୍କୀୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ଏବଂ ପରିବାରର ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଭଦ୍ରକ ତିହିଡ଼ି ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ସନ୍ତୋଷ ପରିଡ଼ା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷ ପରିଡ଼ାଙ୍କ ମୃତ୍ୟୁ ଘଟିଥିଲା। ସାଂପ୍ରଦାୟିକ ଉତ୍ତେଜନା ଆଶଙ୍କାରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକ ଜିଲ୍ଲାର ୫ଟି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଏହି ନିଲମ୍ବନ ବଳବତ୍ତର ରହିବ। ଭଦ୍ରକ ବ୍ଲକ ଓ ଏହାର ପୌରାଞ୍ଚଳ, ତିହିଡ଼ି ବ୍ଲକ୍, ଧାମନଗର ବ୍ଲକ୍ ଓ ସଂଲଗ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏହା ସହ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ୧୨ ଜଣଙ୍କୁ ଗିରଫ କରାଯାଇଛି ବୋଲି ଭଦ୍ରକ ଏସପି ସୂଚନା ଦେଇଛନ୍ତି।