ହଇଜା ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କଲେ ନବୀନ

ହଇଜାର ବ୍ୟାପକତାକୁ ରୋକିବା ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ ପରାମର୍ଶ

ଭୁବନେଶ୍ୱର, ୧୫/୦୬: ରାଜ୍ୟର ବିଭିନ୍ନ ଜିଲ୍ଲାରେ ହଇଜା ବ୍ୟାପିଥିବା ବେଳେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ନବୀନ ଅତ୍ୟନ୍ତ ଚିନ୍ତା ପ୍ରକଟ କରିବା ସହ ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି।

ଏ ନେଇ ଏକ୍ସରେ ନବୀନ କହିଛନ୍ତି, “ଲୋକଙ୍କ ଜୀବନକୁ ସଙ୍କଟରେ ପକାଇଲାଣି ହଇଜା। ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା ତାହା ଏବେ ବିଭିନ୍ନ ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ହଇଜା ଭୟଙ୍କର ରୂପ ନେଉଥିବା ବେଳେ ଅନ୍ୟ ଜିଲ୍ଲାକୁ ମଧ୍ୟ ଏହା ବ୍ୟାପିବାକୁ ଲାଗିଲାଣି। ବର୍ତ୍ତମାନ ସୁଦ୍ଧା ହଇଜାରେ ୧୪ ଜଣ ପ୍ରାଣ ହରାଇବା ମୋତେ ବ୍ୟଥିତ କରିଛି। ସେମାନଙ୍କ ପରିବାରବର୍ଗ ଓ ଅତ୍ମୀୟସ୍ଵଜନଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଓଡ଼ିଶାରେ ହଇଜା ବ୍ୟାପୁଥିବା ବେଳେ ରାଜ୍ୟ ସରକାର ଏହାକୁ ହାଲକା ଭାବେ ନେବା ସମସ୍ତଙ୍କୁ ବେଶ୍ ଚକିତ ଓ ବିଚଳିତ କରୁଛି। ଲୋକଙ୍କ ଜୀବନକୁ ଆଉ ବିପଦକୁ ନ ଠେଲି ସରକାର ସଜାଗ ହୁଅନ୍ତୁ, ହଇଜାର ବ୍ୟାପକତାକୁ ରୋକିବା ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ।”