ଅନିୟନ୍ତ୍ରିତ ମଧ୍ୟପ୍ରାଚ୍ୟ ଯୁଦ୍ଧ

ଆମେରିକାର ସାମରିକ ଘାଟି ଉଡ଼ାଇବାକୁ ଧମକ ଦେଲା ଇରାନ

ଅବିଶ୍ୱସନୀୟ ଆକ୍ରମଣ କରିବ ଆମେରିକା: ଟ୍ରମ୍ପ ଦେଲେ ଚେତାବନୀ

ନୂଆଦିଲ୍ଲୀ, ୧୫/୦୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ବିପଜ୍ଜନକ ପରିସ୍ଥିତିର ଶୀର୍ଷରେ ପହଞ୍ଚିଥିବା ବେଳେ ଉଭୟ ଦେଶ ଶନିବାର-ରବିବାର ରାତିରେ ପୁଣି ଥରେ ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରିଥିବାରୁ ପଶ୍ଚିମ ଏସିଆରେ ଆଞ୍ଚଳିକ ସଂଘର୍ଷ ହେବାର ଆଶଙ୍କା ତୀବ୍ର ହୋଇଛି। ଇସ୍ରାଏଲର ଅପରେସନ ରାଇଜିଂ ଲାୟନ ଅଧୀନରେ ଇରାନରେ ଥିବା ବିଶ୍ୱର ସର୍ବବୃହତ ଗ୍ୟାସ ଫିଲ୍ଡ ଉପରେ ଏୟାର ଷ୍ଟ୍ରାଇକ୍ ଯୋଗୁଁ ଭୁଶୁଡ଼ି ପଡ଼ିଛି ଇରାନ। ଇରାନକୁ ବହୁ କ୍ଷତି ସହିବାକୁ ପଡିଛି।

ଇରାନର କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଇସ୍ରାଏଲ ତେହେରାନରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାରୁ ୨୯ ଜଣ ଶିଶୁଙ୍କ ସମେତ ଅତି କମରେ ୬୦ ଜଣଙ୍କ ମୃତ୍ୟୁ ଘଟିଛି। ଇରାନରେ ଇସ୍ରାଏଲର ଆକ୍ରମଣର ପ୍ରଥମ ଦୁଇ ଦିନରେ ସମୁଦାୟ ୭୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଇରାନର କ୍ଷେପଣାସ୍ତ୍ର ଆକ୍ରମଣରେ ଇସ୍ରାଏଲର ୪ ଜଣଙ୍କର ମୃତ୍ୟୁ ଘଟିଛି।

ଇସ୍ରାଏଲ ଇରାନର ୧୫୦ରୁ ଅଧିକ ସ୍ଥାନକୁ ଟାର୍ଗେଟ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପରମାଣୁ ପ୍ରତିଷ୍ଠାନ, ସାମରିକ ଭିତ୍ତିଭୂମି ଏବଂ ପ୍ରମୁଖ ନେତୃତ୍ୱ ବ୍ୟକ୍ତିତ୍ୱଙ୍କୁ ଟାର୍ଗେଟ କରି ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଇସ୍ରାଏଲକୁ ଆକ୍ରମଣ କରିବାରେ ଇରାନକୁ ଯେଉଁ ରାଷ୍ଟ୍ର ରୋକିବାକୁ ଚେଷ୍ଟା କରିବ ତା’ ଉପରକୁ ଆକ୍ରମଣ ହେବ ବୋଲି ଇରାନ ଚେତାବନୀ ଦେଇଛି। ଆମେରିକା, ଫ୍ରାନ୍ସ ଓ ୟୁକେର ସାମରିକ ଘାଟି ଇସ୍ରାଏଲ ଓ ଇରାନରେ ଥିବା ବେଳେ ଯଦି ଇରାନ ପଟୁ ଇସ୍ରାଏଲକୁ ମାଡ କରା ଯାଉଥିବା ମିସାଇଲ ଓ ଡ୍ରୋନକୁ ଏହି ତିନି ରାଷ୍ଟ୍ର ଦ୍ୱାରା ଅଟକା ଯାଏଁ, ତାହାଲେ ଏହି ତିନି ଦେଶର ସାମରିକ ଘାଟିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ଧମକ ଦେଇଛି ଇରାନ।

ସେପଟେ ଇରାନର ଏହି ଚେତାବନୀକୁ କଡ଼ା ଜବାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।ଟ୍ରମ୍ପ କହିଛନ୍ତି, ଯଦି ଇରାନ ଆମେରିକା ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରେ, ତାହାଲେ ଆମେରିକାର ସଶସ୍ତ୍ରବାହିନୀ ସମ୍ପୂର୍ଣ୍ଣ ଶକ୍ତି ଓ ସାମର୍ଥ୍ୟର ସହିତ ଇରାନକୁ ଟାର୍ଗେଟ କରିବାରେ ପଛଘୁଞ୍ଚା ଦେବ ନାହିଁ। ଆମେରିକା ଏପରି ଆକ୍ରମଣ କରିବ ଯେ, ଇରାନ ତାହା କେବେ ଦେଖି ନଥିବ। ଆମେରିକା ଉଭୟ ରାଷ୍ଟ୍ର ମଧ୍ୟରେ ହେଉଥିବା ଯୁଦ୍ଧକୁ ରୋକିବା ପାଇଁ ସାମର୍ଥ୍ୟ ରଖିଛି। ଆମେରିକା ସେମାନଙ୍କ ମଧ୍ୟରେ ବିଲ୍ କରାଇ ଏହି ଯୁଦ୍ଧ ରୋକି ପାରିବ ବୋଲି ଟ୍ରମ୍ପ କହିଛନ୍ତି।

ରବିବାର ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ପରେ ଇରାନ ଆମେରିକା ସହ ହେବାକୁ ଥିବା ପରମାଣୁ ଆଲୋଚନାକୁ ବାତିଲ କରିଛି। ମଧ୍ୟସ୍ଥତା କରୁଥିବା ଓମାନ ଏହି ଘଟଣାକୁ ନିଶ୍ଚିତ କରି କହିଛି ଯେ ଆଲୋଚନା ଆଉ ସମ୍ଭବ ନୁହେଁ। ତୁର୍କୀ ରାଷ୍ଟ୍ରପତି ତୈୟପ ଏର୍ଡୋଗାନ୍ ଇସ୍ରାଏଲର ଏହି ଆକ୍ରମଣ ଗାଜାରେ ଗଣହତ୍ୟାରୁ ଧ୍ୟାନ ହଟାଇବା ପାଇଁ ଏକ ପ୍ରୟାସ ବୋଲି କହିଛନ୍ତି।

ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରି ସାଂଘାଇ ସହଯୋଗ ସଂଗଠନ (ଏସସିଓ)। ଏକ ବିବୃତ୍ତି ଜାରି କରି ଆକ୍ରମଣକୁ କଡ଼ା ନିନ୍ଦା କରିଛି। ଚୀନ୍ ନେତୃତ୍ୱାଧୀନ ଏସସିଓ ସଦସ୍ୟ ରାଷ୍ଟ୍ର ଇରାନ୍, କାଜାଖସ୍ତାନ, କିର୍ଗିଜସ୍ତାନ, ପାକିସ୍ତାନ, ରୁଷିଆ, ତାଜିକିସ୍ତାନ, ଉଜବେକିସ୍ତାନ, ବେଲାରୁସ୍ ଏବଂ ଭାରତ ଭଳି ସଦସ୍ୟ ରାଷ୍ଟ୍ରକୁ ନେଇ ଗଠିତ ଅପରେସନ୍ ରାଇଜିଂ ଲାୟନ୍ ଅଧୀନରେ ଇରାନ୍ ଉପରକୁ ଇସ୍ରାଏଲର ସାମରିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନାକୁ ନେଇ ଉଦବେଗ ପ୍ରକାଶ କରିଛି। ତେବେ ଭାରତ ଏଥିରୁ ନିଜକୁ ଦୂରେଇ ରଖିଛି। ଜୁନ୍ ୧୩ରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଘୋଷଣା କରିଥିଲା ଯେ, ଏହି ଉତ୍ତେଜନା କେବଳ ଆଲୋଚନା ଓ କୂଟନୀତି ମାଧ୍ୟମରେ ହିଁ ହ୍ରାସ ହୋଇପାରିବ।