ଥମୁନି ବ୍ରହ୍ମପୁର ମହାନଗର ନିଗମ କଳି

ନିର୍ବାହୀ ଯନ୍ତ୍ରୀଙ୍କୁ ଜୋତା ମାଡ କଲେ କନିଷ୍ଠ ଯନ୍ତ୍ରୀ!

ବ୍ରହ୍ମପୁର, ୧୬/୦୬: ବ୍ରହ୍ମପୁର ମହାନଗର ନିଗମର କଳି ଥମିବାରେ ନାମ ନେଉନାହିଁ । ଗତ ଏକ ବର୍ଷ ମଧ୍ୟରେ ୪ରୁ ଉର୍ଦ୍ଧ୍ବ ମାମଲା ଟାଉନ ଥାନାରେ ରୁଜୁ ହୋଇଛି । ସେହିଭଳି ଗତ ଶୁକ୍ରବାର ସନ୍ଧ୍ୟାରେ କନିଷ୍ଠ ଯନ୍ତ୍ରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ହୋଇଛି । ତେବେ ସହରବାସୀଙ୍କ କହିବା କଥା ମହାନଗର ନିଗମରେ ଏଭଳି ଘଟିଲେ ବ୍ରହ୍ମପୁର ସହର ଉନ୍ନତି ହେବ କଣ ।

ବ୍ରହ୍ମପୁର ମହାନଗର ନିଗମରେ ପ୍ରଥମେ କର୍ପୋରେଟରଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ବିବାଦ । ଏହା ପରେ ପରେ ମେୟରଙ୍କୁ ଜଣେ ନିର୍ବାହୀଯନ୍ତ୍ରୀଙ୍କ ଗାଳି କରିଥିବା ଅଭିଯୋଗ, କାଉନସିଲ ବୈଠକ ସମୟରେ କିଛି କର୍ପୋରେଟର କମିଶନରଙ୍କୁ ଗାଳିଗୁଲଜ କରିବା ସହ ଗେଟ୍‌ଆଉଟ୍‌ ମଧ୍ୟ କରିଥିଲେ । ସେହିପରି ଫାଇଲ ଚୋରି ଘଟଣା, ଏବେ ପୁଣି କନିଷ୍ଠ ଯନ୍ତ୍ରୀଙ୍କ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ । ନିର୍ବାହୀ ଯନ୍ତ୍ରୀଙ୍କୁ ଜୋତା ଓ ପେପରଓ୍ବେଇଟ୍‌ରେ କନିଷ୍ଠ ଯନ୍ତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାଡ଼ ଖାଇବା ପରେ ନିର୍ବାହୀ ଯନ୍ତ୍ରୀ ଥାନାରେ ମାମଲା ଦେଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ମଧ୍ୟ ମାମଲା ଦେଇଛନ୍ତି । ତେବେ ଏହିଭଳି ଘଟଣା ଗୁଡ଼ିକୁ ଦେଖିଲେ ବ୍ରହ୍ମପୁର ସହରବାସୀ ନିନ୍ଦା କରିବା ସହ ମହାନଗର ନିଗମର ଉନ୍ନତିମୂଳକ କାର୍ଯ୍ୟ କେମିତି ହେବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଦୁଇ ଯନ୍ତ୍ରୀ ମଧ୍ୟରେ ମାରପିଟ୍‌ ଘଟଣାକୁ ବ୍ରହ୍ମପୁର ମେୟର ନିନ୍ଦା କରିଥିବା ବେଳେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଏହିଭଳି କାର୍ଯ୍ୟ କରିବା କେତେଦୂର ଠିକ୍‌ ବୋଲି ପ୍ରଶ୍ନ କରିଛନ୍ତି ମେୟର। ଯେହେତୁ ଥାନାରେ ମାମଲା ହୋଇଛି ତାହାର ତଦନ୍ତ କରି ତାଙ୍କ ବିରୁଦ୍ଧରେ ପୋଲିସ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସେହିପରି କାଉନସିଲ ବୈଠକରେ ଘଟଣାକୁ ନେଇ ଆଲୋଚନା କରାଯିବା ପରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମେୟର । ସେପଟେ ବିଇଏମସିର କାର୍ଯ୍ୟରତ ଯନ୍ତ୍ରୀ ଓ ବିଭିନ୍ନ ବିଭାଗ ମଧ୍ୟରେ କିଭଳି ସମନ୍ବୟ ରହିବ ସେ ନେଇ ଦୃଷ୍ଟି ଦିଆଯିବ । ଯେଉଁ ଯନ୍ତ୍ରୀ ମାନେ ନିଜର ଦାୟିତ୍ବକୁ ସଠିକ ଭାବେ ତୁଲାଉନାହାନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । କିଭଳି ଶାନ୍ତିଶୃଙ୍ଖଳାର ସହିତ ଉନ୍ନତି ସହରର ଉନ୍ନତି ପାଇଁ ସମସ୍ତ ସରକାରୀ ଅଧିକାରୀ କାମ କରିବେ ତାହାକୁ ଗୁରତ୍ବ ଦିଆଯିବ ବୋଲି କହିଛନ୍ତି କମିଶନର ।

ଗତ ଏକ ବର୍ଷ ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ବିଇଏମସି ଚର୍ଚ୍ଚାରେ ରହିଥିବା ବେଳେ ଟାଉନ ଥାନାରେ ମଧ୍ୟ ମାମଲା ବଢ଼ିବାରେ ଲାଗିଥିବା ବେଳେ ବିଇଏମସିକୁ ନୂଆ କମିଶନର ଆସିବା ପରେ କିଭଳି ବିଭାଗ ମଧ୍ୟରେ ସମନ୍ବୟ ରହି କାମ ହେଉଛି ତାହା ଦେଖିବାକୁ ବାକି ରହିଲା ।