ଇରାନର ଇସ୍ଲାମିକ ରିଭୋଲ୍ୟୁସନରି ଗାର୍ଡ କର୍ପସ୍ ଗୁଇନ୍ଦା ମୁଖ୍ୟ ନିପାତ
ଇରାନର ମୃତ ୯ ପରମାଣୁ ବୈଜ୍ଞାନିକଙ୍କ ଫଟୋ ଜାରି କଲା ଇସ୍ରାଏଲ
ତେହେରାନ, ୧୬/୦୬: ତେହେରାନ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ରେ ଇରାନର ଇସ୍ଲାମିକ ରିଭୋଲ୍ୟୁସନରି ଗାର୍ଡ କର୍ପସ୍ (ଆଇଆରଜିସି)ର ଗୁଇନ୍ଦା ମୁଖ୍ୟ ବ୍ରିଗେଡିୟର ଜେନେରାଲ ମହମ୍ମଦ କାଜେମି ଏବଂ ତାଙ୍କ ଡେପୁଟି ଜେନେରାଲ ହାସନ ମୋହାକିକ୍ ନିହତ। ଏ ନେଇ ସୂଚନା ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।
ଇସ୍ରାଏଲ ତା’ର ଅପରେସନ ରାଇଜିଂ ଲାୟନ ଆରମ୍ଭ ହେବା ପରଠାରୁ ତେହେରାନରେ ଅନେକ ସ୍ଥାନ ଉପରେ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ। ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ ଆକ୍ରମଣରେ ଇରାନର ୧୪ ଜଣ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି ବୋଲି ଇସ୍ରାଏଲ ଦାବି କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଆକ୍ରମଣରେ ପ୍ରାଣ ହରାଇଥିବା ୯ ଜଣ ପରମାଣୁ ବୈଜ୍ଞାନିକଙ୍କ ତାଲିକା ଜାରି କରିଛି।
ବିଶେଷଜ୍ଞଙ୍କ ମଧ୍ୟରେ ଅବଦ ଅଲ-ହମିଦ ମିନୁଶେହର (ରିଏକ୍ଟର ପଦାର୍ଥ ବିଜ୍ଞାନ ବିଶେଷଜ୍ଞ), ଅହମ୍ମଦ ରେଜା ଜୋଲ୍ଫାଘରୀ ଦରୟାନୀ (ପରମାଣୁ ଇଞ୍ଜିନିୟରିଂ ବିଶେଷଜ୍ଞ), ଆକବର ମୋତାଲେବି ଜାଡେ (ରାସାୟନିକ ଇଞ୍ଜିନିୟରିଂ ବିଶେଷଜ୍ଞ), ଅଲି ବାହୁଇ କତିରିମି (ମେକାନିକ୍ସ ବିଶେଷଜ୍ଞ), ଅମୀର ହାସନ ଫାଖାହି (ପଦାର୍ଥ ବିଜ୍ଞାନ ବିଶେଷଜ୍ଞ), ଫେରେଡୋନ୍ ଆବ୍ବାସି (ନ୍ୟୁକ୍ଲିୟର ଇଞ୍ଜିନିୟରିଂ ବିଶେଷଜ୍ଞ), ମନସୁର ଅସଗରୀ (ପଦାର୍ଥ ବିଜ୍ଞାନ ବିଶେଷଜ୍ଞ), ମହମ୍ମଦ ମେହେଦି ତେହେରାନଚି (ପଦାର୍ଥ ବିଜ୍ଞାନ ବିଶେଷଜ୍ଞ) ଏବଂ ସୟଦ ବାର୍ଜି (ପଦାର୍ଥ ବିଜ୍ଞାନ ବିଶେଷଜ୍ଞ)।
ଇସ୍ରାଏଲ କହିଛି, ଇରାନର ପରମାଣୁ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଧ୍ୱଂସ କରିବା ତା’ର ଲକ୍ଷ୍ୟ। ଇରାନ ଯେଉଁ ନୀରିହ ଶିଶୁ, ମହିଳା ଓ ଲୋକଙ୍କ ହତ୍ୟା କରିଛି, ତା’ର ବହୁମୂଲ୍ୟ ଦେବାକୁ ହେବ।