ଭୁବନେଶ୍ୱର, ୧୭/୦୬: ଅନଲାଇନରେ କ୍ୟାବ ବୁକିଂ କରିବା ଭଳି ଆମ୍ବୁଲାନ୍ସ ମଧ୍ୟ ବୁକିଂ ହୋଇ ପାରିବ। ଗୋଟିଏ କ୍ଲିକରେ ଠିକଣା ଜାଗାରେ ପହଞ୍ଚିବ ଆମ୍ବୁଲାନ୍ସ। ଖୁବ ଶୀଘ୍ର ଅନଲାଇନରେ ମିଳିବ ଆମ୍ବୁଲାନ୍ସ ସେବା। ଏ ନେଇ ଘୋଷଣା କରିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ‘ଓଡ଼ିଶା ଯାତ୍ରୀ’ ଆପ୍ ଜରିଆରେ ଅନଲାଇନ୍ ଆମ୍ବୁଲାନ୍ସ ବୁକିଂ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟ ପରିବହନ ବିଭାଗ ଓ କ୍ରୁଟ (କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ) ସହଯୋଗରେ ସାରା ଓଡ଼ିଶାରେ ଜରୁରୀକାଳୀନ ପରିବହନ ସେବାକୁ ସୁବ୍ୟବସ୍ଥିତ କରିବା ପାଇଁ ଏହି ପଦକ୍ଷେପ ଆରମ୍ଭ କରାଯିବ। ଓଡ଼ିଶା ଯାତ୍ରୀ ମୋବାଇଲ ଆପ୍ ଜରିଆରେ ନାଗରିକମାନଙ୍କୁ ଉଭୟ ସରକାରୀ ଓ ବେସରକାରୀ ଆମ୍ବୁଲାନ୍ସ ସେବା ସହଜରେ ଉପଲବ୍ଧ କରାଯିବ। ଜରୁରୀକାଳୀନ ପରିସ୍ଥିତି ସମୟରେ ନିକଟସ୍ଥ ଆମ୍ବୁଲାନ୍ସ କମ୍ ସମୟ ମଧ୍ୟରେ ପହଞ୍ଚିଯିବ। ଏହାର ମୂଲ୍ୟ ସରକାର ନିର୍ଦ୍ଧାରଣ କରିବେ ବୋଲି ମନ୍ତ୍ରୀ କହିଛନ୍ତି।