ରାଜଧାନୀରେ ଅପମିଶ୍ରିତ ମଦ ପିଇ ୨ ମୃତ, ୫ ଗୁରୁତର

ବିଦେଶୀ ମଦ ଦୋକାନୀ ସିଲ୍

ଭୁବନେଶ୍ୱର, ୧୭/୦୬: ସାଧାରଣତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କିମ୍ବା ଦୁର୍ଗମ ଅଞ୍ଚଳରେ ଅପମିଶ୍ରିତ ମଦ ପିଇ ମୃତ୍ୟୁ ହେବା ଘଟଣା ଆମେ ଶୁଣିଛେ। କିନ୍ତୁ ଆଜି ଖୋଦ ରାଜଧାନୀ ଭୁବନେଶ୍ୱରଠାରେ ଏପରି ଅପମିଶ୍ରିତ ମଦ ମିଳୁଥିବା ଅଭିଯୋଗ ଆସିଛି। ଏପରିକି ଅପମିଶ୍ରିତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ହେବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି।

ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳର କଟକ-ପୁରୀ ରୋଡ ଷ୍ଟେସନ ବଜାର ନିକଟ ଏକ ବିଦେଶୀ ମଦ ଦୋକାନରୁ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି। ମୃତକ ଦୁଇ ଜଣ ହେଲେ ବିଶ୍ୱଜିତ ବେଉରା ଓ ଆପେଇ। ୪ ଦିନ ତଳେ ଆପେଇଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ବିଶ୍ୱଜିତଙ୍କ ମୃତ୍ୟୁ ଘଟିଛି। ମଦ ପିଇବା ପରେ ସେମାନେ ଗୁରୁତର ହେବା ଅଭିଯୋଗ ପରେ ଅବକାରୀ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମ୍ପୃକ୍ତ ମଦ ଦୋକାନକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛି।

ଏହି ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ଏବଂ ସାମାଜିକ ସଂଗଠନର ଘେରାଉ ପରେ ଅବକାରୀ ବିଭାଗ କଟକ-ପୁରୀ ରୋଡ୍ ଷ୍ଟେସନ ବଜାର ନିକଟରେ ଥିବା ସଂପୃକ୍ତ ବିଦେଶୀ ମଦ ଦୋକାନକୁ ସିଲ୍ କରିବା ସହ ପରୀକ୍ଷା ପାଇଁ ମଦ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇଛି।