ସଂକଳ୍ପରୁ ସଫଳତା, ସଫଳତାରୁ ଲୋକପ୍ରିୟତା
ଭାଜପା ସରକାରର ସ୍ଥାପନା ଓ ସ୍ଥାୟୀତ୍ବର ମୂଳମନ୍ତ୍ର: ଡ଼ଃ ତପନ କୁମାର ଚାନ୍ଦ
କଥାରେ ଅଛି, ‘ସଂକଳ୍ପରୁ ସିଦ୍ଧି, ସିଦ୍ଧି ଦିଏ ସଫଳତା ଓ ସଫଳତା ଆଣେ ଲୋକପ୍ରିୟତା’ । ଏହି ସାରମର୍ମଟି ଓଡ଼ିଶା ଭାଜପା ସରକାରର ସ୍ଥାପନା ଓ ସ୍ଥାୟୀତ୍ବର ମୂଳମନ୍ତ୍ର । 2024 ମସିହା, ଅଷ୍ଟାଦଶ ଲୋକସଭା ଓ ଓଡ଼ିଶାର ଶୋଢ଼ଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା 21 ସଂକଳ୍ପ ବିଶିଷ୍ଟ ଏକ ସଂକଳ୍ପ ପତ୍ର ଘୋଷଣା କରିଥିଲା । ସମସ୍ତ ରାଜନୈତିକ ଦଳ ତାଙ୍କର ନିଜ ନିଜ ନିର୍ବାଚନ ଇସ୍ତାହାର ସାଧାରଣ ଜନତାଙ୍କ ଆଗରେ ପ୍ରସ୍ତୁତ କରିଥିଲେ । କିନ୍ତୁ ଭାଜପା ସଂକଳ୍ପ ପତ୍ର ( ନିର୍ବାଚନୀ ଇସ୍ତାହାର) ଥିଲା ସର୍ବସ୍ପର୍ଶୀ, ସାମଗ୍ରୀକ ଓ ସନ୍ତୁଳିତ । ଏହି ସଂକଳ୍ପରେ ଥିବା କେତେକ ପ୍ରମୁଖ ସଂକଳ୍ପ ଯଥା – ସୁଶାସନ , ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା, ମାଫିଆ ରାଜର ମୂଳତ୍ପାଟନ, ଶ୍ରୀମନ୍ଦିରର ଚାରିଦ୍ବାର ଉନ୍ମୁକ୍ତ କରିବା, ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ, ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା, ସଂସ୍କୃତି , ପରମ୍ପରାର ପୁନରୁଦ୍ଧାର, କୃଷକମାନଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନାରେ ଧାନ କୁଇଣ୍ଟାଲ କ୍ରୟ ମୂଲ୍ୟ 3100 ଟଙ୍କା , ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଡିବିଟି (DBT) ରେ ନଗଦ ରାଶି ପ୍ରଦାନ ଇତ୍ୟାଦି ଜନମନକୁ ବିଶେଷ ରୂପେ ପ୍ରଭାବିତ କରିଥିଲା । ଓଡ଼ିଶାର ଜନସାଧାରଣଙ୍କ ସମର୍ଥନ ମିଳିବାର ପ୍ରମୁଖ କାରଣ ଥିଲା ଭାଜପାର ସଂକଳ୍ପ ସହିତ ମୋଦିଙ୍କର ‘ଗ୍ୟାରେଣ୍ଟି’ ଯାହା କି ଭାଜପାର ପରିବର୍ତ୍ତନ ସଂକଳ୍ପ ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ଦୃଢ଼ ବିଶ୍ବାସ ସୃଷ୍ଟି କରିପାରିଥିଲା । ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ ଏହି ପରିବର୍ତ୍ତନର ହାଓ୍ବା ଏକ ବିରାଟ ଘୂର୍ଣ୍ଣିବାତ୍ୟାରେ ପରିଣତ ହେଲା, ଯାହା କି 24 ବର୍ଷର ନବୀନ ସରକାରଙ୍କୁ ଧରାଶାୟୀ କରିଥିଲା । ନବୀନ ବାବୁ ନିଜେ କଣ୍ଟାବାଞ୍ଝି ନିର୍ବାଚନ ମଣ୍ଡଳୀରୁ ପରାସ୍ତ ହୋଇଥିଲେ ।
ସାଧାରଣତଃ ନିର୍ବାଚନ ପରେ ନିର୍ବାଚନୀ ଇସ୍ତାହାରକୁ ରାଜନୈତିକ ନେତାମାନେ ସହଜରେ ଭୂଲିଯାଇଥାନ୍ତି । କିନ୍ତୁ 2024 ନିର୍ବାଚନର ଭାଜପା ସଂକଳ୍ପପତ୍ର ର କାର୍ଯ୍ୟକାରିତା ପାଇଁ ସ୍ବୟଂ ମୋଦିଙ୍କ ଜନତା ପାଖରେ ଗ୍ୟାରେଣ୍ଟି, ନିର୍ବାଚନୀ ସଂକଳ୍ପ ପତ୍ରକୁ ସରକାରଙ୍କ ସଂକଳ୍ପ ପତ୍ର ଭାବରେ ରୂପାନ୍ତରିତ କରିଥିଲା । ମୋହନ ସରକାର ଦାୟିତ୍ବ ନେବାର ପ୍ରଥମ ଦିନ ଜୁନ 12, 2024 ତାରିଖରୁ ସଂକଳ୍ପ ପତ୍ରର ବିଭିନ୍ନ ପ୍ରତିଶ୍ରୁତି ଉପରେ ସରକାରୀ କଳରେ କାର୍ଯ୍ୟ ଆରମ୍ଭ କରିବାର ତତ୍ପରତା ଦେଖାଯାଇଥିଲା । ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବାର କିଛି ଘଣ୍ଟା ମଧ୍ୟରେ ପ୍ରଥମ କ୍ୟାବିନେଟ ମିଂଟିରେ ମୋହନ ସରକାର ଚାରୋଟି ପ୍ରମୁଖ ସଂକଳ୍ପ ଉପରେ ନିଷ୍ପତ୍ତି ନେଇଥିଲେ । ଯାହା କି ତାଙ୍କୁ ପ୍ରଥମ ଦିନରୁ ଲୋକପ୍ରିୟ କରିଥିଲା । ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ପୁରୀ ଶ୍ରୀମନ୍ଦିରର ପବିତ୍ର ଚାରିଦ୍ବାର ଭକ୍ତ ମାନଙ୍କ ପାଇଁ ଊଂନ୍ମୁକ୍ତ କରି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତାକୁ ସମାପ୍ତି କରିବା, ରତ୍ନଭଣ୍ଡାର ଖୋଲି, ଗଣତି ମଣତି ତଥା ଏଏସଆଇ ଦ୍ବାରା ମରାମତି ଆରମ୍ଭ କରିବା ପାଇଁ ନିଷ୍ପତ୍ତି, ଶ୍ରୀ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ 500 କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ, ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଧାନ ପ୍ରତି କୁଇଣ୍ଟାଇ କୁ 800 ଟଙ୍କାର ବୋନସ ର ପ୍ରାବଧାନ ଏବଂ ସୁଭଦ୍ରା ଯୋଜନାର ପ୍ରଣୟନ କୁ ଅନୁମୋଦନ କରାଯାଇଥିଲା । ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ ଆର୍ଥିକ ସ୍ବାବଲମ୍ବି ହେବା ପାଇଁ ଚେଷ୍ଟା କରୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୁଭଦ୍ରା ଯୋଜନା ରେ ଏକ କୋଟିରୁ ଅଧିକ ମହିଳା ଲାଭାନ୍ବିତ ହୋଇଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ 17 ଲକ୍ଷ ମହିଳା ସୁଭଦ୍ରା ଯୋଜନା ରାଶିକୁ ବ୍ୟବସାୟରେ ଲଗାଇ ଲକ୍ଷପତି ଦିଦି ହୋଇପାରିଛନ୍ତି ।
ମୋହନ ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି ହେଉଛି ସରକାରଙ୍କୁ ସାଧାରଣ ଜନତା ପାଖକୁ ନେଇ ସେମାନଙ୍କ ସମସ୍ୟାର ସମାଧାନ କରିବା । ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାହା କି ଦୀର୍ଘକାଳ ପାଇଁ ବନ୍ଦ ପଡ଼ିଥିଲା , ତାକୁ କାର୍ଯ୍ୟକାରୀ କରି , ନିଜେ ମୁଖ୍ୟମନ୍ତ୍ରୀ ଜନତାଙ୍କ ଦରବାରରେ ହାଜର ହୋଇ ଅଭିଯୋଗ ଶୁଣାଣି କରୁଛନ୍ତି । ଏହା ସବୁଠୁ ଏକ ବଡ଼ ପରିବର୍ତ୍ତନ ଯାହା ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ କାର୍ଯ୍ୟକାରୀ ହୋଇପାରିନଥିଲା । ବ୍ୟକ୍ତିଗତ ସାକ୍ଷାତକାରରେ ଜନସାଧାରଣଙ୍କର ଅଭିଯୋଗ ଶୁଣାଣି ଏକ ନାଟକ ବା ପ୍ରହସନ ନୁହେଁ ବରଂ ଫଳାଫଳ ଭିତ୍ତିକ (ଆଉଟ କମ୍ ବେସଡ଼୍) । ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠର ଅଭିଯୋଗ ଶୁଣାଣି ମାଧ୍ୟମରେ ଶତକଡ଼ା 85 ଭାଗ ଅଭିଯୋଗ ସମାଧାନ ହୋଇପାରିଛି । ଅଭିଯୋଗ ପୋର୍ଟାଲରେ 5ଲକ୍ଷ ରୁ ଅଧିକ ଅଭିଯୋଗର ମଧ୍ୟ ସମାଧାନ କରାଯାଇପାରିଛି । ‘ଲୋକମାନଙ୍କ ପାଇଁ’ , ‘ଲୋକଙ୍କ ସରକାର’ ଏହାକୁ ଚରିତାର୍ଥ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଆଞ୍ଚଳିକ କ୍ଷେତ୍ର ସମ୍ବଲପୁରରେ ଅନୁଷ୍ଠିତ ହୋଇଛି । ସରକାରଙ୍କର ବକ୍ତବ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବିଭିନ୍ନ ଆଞ୍ଚଳିକ କ୍ଷେତ୍ରରେ , ଜିଲ୍ଲାରେ ଆଗାମୀ ଦିନରେ ଅନୁଷ୍ଠିତ କରାଯିବ । ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟର ସମସ୍ତ 30 ଟି ଜିଲ୍ଲା ପରିଦର୍ଶନ କରି ପ୍ରତ୍ୟକ୍ଷ ଭାବରେ ଲୋକଙ୍କ ସହ ମିଶି ତାଙ୍କର ମତାମତ ନେଇଛନ୍ତି ଏବଂ ସମାଜର ଶେଷ ଧାଡ଼ିର ଲୋକଙ୍କ କଥା ଶୁଣୁଛନ୍ତି । ପୂର୍ବର ବିଜେଡି ସରକାରଙ୍କ ଅମଳରେ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ସ୍ଥାଣୁ ଅବସ୍ଥାରେ ଥିଲା । ପ୍ରଶାସନ ଏବଂ ଗ୍ରାମୀଣ ଅଞ୍ଚଳ ମଧ୍ୟ ରେ ଯେଉଁ ଦୂରତା ଥିଲା ତାହା ମୋହନ ସରକାର ଦୂର କରିଛନ୍ତି । ଯେଉଁ ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦେଇ ଭାଜପା ସରକାର ଗଢ଼ିଲା, ସେହି ଓଡ଼ିଆ ଅସ୍ମିତାକୁ ଉଜ୍ଜିବିତ କରିବା ପାଇଁ 200 କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି ।
ଭାଜପା ସରକାରଙ୍କ ପ୍ରଥମ ସଂକଳ୍ପ ଦୂର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା । ପ୍ରଥମ ବର୍ଷରେ ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାରେ ଏକ ବିରାଟ ପରିବର୍ତନ ଦେଖାଯାଇଛି । ପିଅନ ଠାରୁ ପ୍ରଶାସନିକ ଅଧିକାରୀ ତଥା ଉଚ୍ଚ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି ଯେ ଦୁର୍ନୀତିର କୈାଣସି ସ୍ଥାନ ନାହିଁ । ପ୍ରଶାସନିକ ପ୍ରତିବନ୍ଧକ ଦୂରକରି ସ୍ବଚ୍ଛ ଶାସନ ନିଶ୍ଚିତ କରି ମୋହନ ସରକାର , ସାଧାରଣ ଲୋକମାନଙ୍କ ନିକଟକୁ ପ୍ରଶାସନକୁ ଆଣିବାରେ ସଫଳ ହୋଇଛନ୍ତି । ଡବଲ ଇଞ୍ଜିନ ସରକାର ର ଉପଲବ୍ଧି ଭାବରେ କେନ୍ଦ୍ରର ମୋଦି ସରକାର ଙ୍କ ଢାଞ୍ଚା ରେ ଓଡିଶା ରେ ମୋହନ ସରକାର ସମସ୍ତ ବର୍ଗର ଲୋକଙ୍କୁ ସେବା ସହିତ ସନମାନ ପ୍ରଦାନ କରୁଛନ୍ତି । ମୋଦି ଙ୍କ ମନ୍ତ୍ର “ସବକା ସାଥ ସବକା ବିକାଶ” କୁ ଅକ୍ଷର ଅକ୍ଷର ପାଳନ କରିଛନ୍ତି ଭାଜପା ସରକାର ।
ଯୁବଶକ୍ତିର ଉତ୍ଥାନ ପାଇଁ ସରକାର ସଂକଳ୍ପ ପତ୍ରାନୁସାରେ ପାଞ୍ଚବର୍ଷରେ ଦେଢ଼ ଲକ୍ଷ (1.5 ଲକ୍ଷ) ସରକାରୀ ଚାକିରି ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହାର ଅନୁପାଳନ କରିବା ପାଇଁ ପ୍ରଥମ ବର୍ଷରେ 28,000 ନିଯୁକ୍ତି ଦିଆସରିଛି । ଏବଂ ଦ୍ବିତୀୟ ବର୍ଷ 40,000 ନିଯୁକ୍ତି ଦେବାପାଇଁ ପ୍ରାବଧାନ କରାଯାଇଛି । ସରକାରୀ ଚାକିରୀ ର ବୟସ ସୀମା କୁ 32 ବର୍ଷ ରୁ 42 ବର୍ଷ କୁ ବଢ଼ାଇ ଲକ୍ଷ ଲକ୍ଷ ଯୁବଙ୍କର ଆଶା ଓ ଆକାଂକ୍ଷା କୁ ପୂରଣ କରିଛନ୍ତି ମୋହନ ମାଝୀ ତେଣୁ ମୋହନ ସରକାରଙ୍କ ଲୋକପ୍ରିୟତାରେ ଯୁବଗୋଷ୍ଠୀଙ୍କ ଏକ ଭୂମିକା ରହିଛି ।
ଶିକ୍ଷାର ରୂପାନ୍ତରଣ ପାଇଁ ଜାତୀୟ ଶୀକ୍ଷାନୀତି 2020 ଲାଗୁ କରାଯାଇ ପ୍ରଥମ ବର୍ଷରେ 18,000 ଶିକ୍ଷକ ନିଯୁକ୍ତି କରାଯାଇଛି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଶିଶୁ ବାଟିକା କାର୍ଯ୍ୟକ୍ରମ ଅନେକ ଲୋକା ଅଭିମୁଖୀ ହେବା ସହିତ ଲୋକପ୍ରିୟତା କୁ ବୃଦ୍ଧି କରିଛି । ମୋହନ ସରକାରଙ୍କ ଲୋକପ୍ରିୟତାର ଅନ୍ୟ ଏକ କାରଣ ଡବଲ ଇଂଜିନ ସରକାର । ଆୟୁଷ୍ମାନ ଭାରତ ଯୋଜନା, ପିଏମ କିଷାନ ତଥା ଅନ୍ୟାନ କେନ୍ଦ୍ରୀୟ ଜନହିତକାରୀ ଯୋଜନା ଓଡ଼ିଶାରେ ଲାଗୁ ହେବା ଦ୍ବାରା ଓଡ଼ିଶାବାସୀ ଦ୍ବିଗୁଣିତ ଲାଭବାନ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଓଡ଼ିଶାରେ ରାଜମାର୍ଗ ନିର୍ମାଣ ଓ ରେଳଲାଇନରେ ବିକାଶରେ ଅଭୂତପୂର୍ବ ପ୍ରଗତି ଓ ଉନ୍ନତି ହୋଇଛି । ସବୁ ବର୍ଗର ଲୋକଙ୍କ ପାଇଁ ପ୍ରତିବଦ୍ଧତା ଓଡ଼ିଶାରେ ମୋହନ ସରକାରଙ୍କ ଲୋକପ୍ରିୟତା । ଅନୁସୂଚିତ ଜାତି ଓ ଛାତ୍ରଛାତ୍ରୀଙ୍କ ପାଇଁ ମାଧୋସିଂହ ହାତଖର୍ଚ୍ଚ ଯୋଜନା, 15ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ , 9 ଗୋଟି ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ (ପିଭିଟିଜି) ବାସସ୍ଥାନ, ଶ୍ରମିକ କଲ୍ୟାଣ ପାଇଁ ଶ୍ରମିକ କଲ୍ୟାଣ ଯୋଜନା ମାଧ୍ୟମରେ 432 କୋଟି ଟଙ୍କାର ସହାୟତା ରାଶି ଆବଣ୍ଟନ, ସାମାଜିକ ସୂରକ୍ଷା ଯୋଜନା ମାଧ୍ୟମରେ 80 ବର୍ଷରୁ ଉର୍ଧ୍ବ ହିତାଧିକାରୀ ଏବଂ 80 ପ୍ରତିଶତରୁ ଉର୍ଧ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କ ମାସିକ ପେନସନ 3,500 ଟଙ୍କାକୁ ବୃଦ୍ଧି , ରାଜ୍ୟ କିନ୍ନର କଲ୍ୟାଣ ବୋର୍ଡ ଗଠନ ଓ 2,594 ପରିଚୟ ପ୍ରଦାନ ମୋହନ ସରକାରଙ୍କୁ ସବୁ ବର୍ଗର ଲୋକଙ୍କଠାରୁ ଶ୍ରେୟ ମିଳୁଛି ।
ସର୍ବୋପରି ମୋହନ ମାଝୀ ଜଣେ ଶାନ୍ତ, ସରଳ , କର୍ମଠ ଏବଂ ଅହଙ୍କାର ବିହୀନ ବ୍ୟକ୍ତିତ୍ବ । ସଂକଳ୍ପ ପତ୍ରର ପ୍ରତିଟି ସଂକଳ୍ପକୁ ସଫଳତାର ସହିତ ଅନୁପାଳନ କରି ତାଙ୍କ ବିଗତ ଏକ ବର୍ଷର ଶାସନ ମଧ୍ୟରେ ସେ ଲୋକଙ୍କ ପ୍ରିୟ ହୋଇପାରିଛନ୍ତି । ମାତ୍ର ବର୍ଷ 1ରେ ସରକାର ପାଇଛି ଉପଲବ୍ଧି ଅନେକ, 21 ଟି ସଂକଳ୍ପରୁ 11ଟି ସଂକଳ୍ପ କାର୍ଯ୍ୟକାରୀ କରି ଅନ୍ୟାନ୍ୟ ସଂକଳ୍ପ ଉପରେ ପଦକ୍ଷେପ ନେଇ ସେ ଭାଜପା ସରକାରର କାର୍ଯ୍ୟଦକ୍ଷତା ଓ ପାରଦର୍ଶିତା କୁ ଜନସାଧାରଣଙ୍କ ପାଖରେ ପ୍ରମାଣିତ କରିଛନ୍ତି । ବର୍ତ୍ତମାନ ସାରା ରାଜ୍ୟ ରେ ଏକ ସର୍ବହିତକାରୀ , ଦକ୍ଷ, ସମ୍ବେଦନଶୀଳ ଓ ସୁଶାସନର ବାତାବରଣ ସୃଷ୍ଟି ହୋଇଛି । ଏହା ଓଡ଼ିଶାକୁ ବିକଶିତ ମାର୍ଗର ପ୍ରଥମ ସୋପାନରେ ପହଁଚାଇ 2036ର ବିକଶିତ ଓଡ଼ିଶାର ଯାତ୍ରାକୁ ତ୍ବରାନ୍ବିତ କରିପାରିଛି । ସବୁଠାରୁ ବଡ଼ ଆହ୍ବାନ ମୋହନ ସରକାରଙ୍କ ପାଖରେ ବିକଶିତ ଓଡ଼ିଶାର ମୁଖ୍ୟ ମାନଦଣ୍ଡର ଲକ୍ଷ୍ୟକୁ ପୂରଣ କରିବା । ବର୍ତ୍ତମାନ ସରକାରଙ୍କ ଲକ୍ଷ୍ୟ ରହିଛି ଓଡ଼ିଶା ଅର୍ଥନୀତି ର ଆକାର 120 ବିଲିୟନ ଡଲାର କୁ 2036 ସୁଧା 500 ବିଲିୟନ ଡଲାରରେ ପହଁଚାଇବା ଏବଂ ମୁଣ୍ଡ ପିଛା ଆୟକୁ ଜାତୀୟ ମୁଣ୍ଡ ପିଛା ଆୟ ଠାରୁ ଅଧିକ କରିବା । ବିଗତ ଏକ ବର୍ଷ ଭିତରେ ମୁଣ୍ଡପିଛା ଆୟ ହାର ଦଶ ପ୍ରତିଶତ 10.6% ବୃଦ୍ଧି ପାଇଛି । ଯାହା କି ଜାତୀୟ ବୃଦ୍ଧି ହାର ସହ ସମାନ । ପ୍ରାକ ଦଶନ୍ଧି ରେ ଓଡିଶା ଅର୍ଥନୀତି ର ଆକାର ତିନିଗୁଣୁ ବୃଦ୍ଧି ପାଇଥିଲା , କିନ୍ତୁ ବିକଶିତ ଓଡିଶା – 2036 ପାଇଁ ଅର୍ଥନୀତି ର ଆକାର 4 ରୁ 5 ଗୁଣ ବୃଦ୍ଧି ପାଇବା ଆବଶ୍ୟକ , ଏଥିପାଇଁ ଅର୍ଥନୀତି ର ବିଭିନ୍ନ କ୍ଷେତ୍ର ରେ ଯଥା ଶିଳ୍ପ, ସେବା ଇତ୍ୟାଦି କ୍ଷେତ୍ର ରେ ନୂତନ ରଣକୌଶଳ ର ଆବଶ୍ୟକ । ଶିଳ୍ପାୟନ କ୍ଷେତ୍ର ରେ ପୁଞ୍ଜି ନିବେଶକ ମାନେ ନୂତନ ସରକାର ଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଉତ୍କର୍ଷ ଓଡ଼ିଶା – ମେକ ଇନ୍ ଓଡିଶା କନ୍ କ୍ଲେଭ -୨୦୨୫ ରେ ପାଖା ପାଖି ୧୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି । ଏହି ପୁଞ୍ଜି ନିବେଶ ୧୩ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିବ । ଏହି ରାଶି ବିଗତ ମେକିନ୍ ଓଡିଶା ଠାରୁ ୭ ଲକ୍ଷ କୋଟି ଟଙ୍କା ରୁ ଅଧିକ ଓ ଏକ ବିଶେଷ ଉପଲବ୍ଧି ରେ ୨୦ରୁ ଅଧିକ କ୍ଷେତ୍ର ରେ ୫୯୩ଟି ପ୍ରକଳ୍ପ ପ୍ରସ୍ତାବ ଆସିଛି, ଯାହାକି ନୂତନ ଯୁଗ ର ଶିଳ୍ପ ଯଥା ଗ୍ରୀନ ହାଇଡ୍ରୋଜେନ୍, ଅକ୍ଷୟ ଶକ୍ତି ଇତ୍ୟାଦି କୁ ନେଇ ଶିଳ୍ପାୟନର ମୂଳଦୁଆକୁ ପ୍ରଶସ୍ତ ଓ ମଜବୁତ୍ କରିବ । ଖାଲି ଯେ ପୁଞ୍ଜି ନିବେଶ ର ପ୍ରସ୍ତାବ ଆସିଛି ତାହା ନୁହେଁ। ଏହି ବର୍ଷରେ ୧ଲକ୍ଷ ୭୮ହଜାର ଟଙ୍କା ର ପୁଞ୍ଜି ତଥା ୧ ଲକ୍ଷ ୧୧ହଜାର ନିଯୁକ୍ତିର ପ୍ରକଳ୍ପ ସବୁର ଶିଳାନ୍ୟାସ କରାଯାଇଛି। ଆଶା କରାଯାଉଛି ଏ ପ୍ରକାର ପୁଞ୍ଜି ନିବେଶ ଅର୍ଥନୀତି ର ଆକାର କୁ ବୃଦ୍ଧି କରିବ ଓ ବୃଦ୍ଧି ର ହାର କୁ ମଧ୍ୟ ବଢାଇବ। । ଓଡ଼ିଶା ସଂଭାବନା, ସୁଯୋଗ ଓ ସମୃଦ୍ଧିର ରାଜ୍ୟ । ଓଡ଼ିଶା ରାଜ୍ୟ ଖଣି ସମ୍ପଦ, ଖଣିଜ ସଂପଦ,ଜମି ସଂପଦ, ଜଙ୍ଗଲ ସଂପଦ, ଜନ ସଂପଦ, ଜଳ ସଂପଦ ଇତ୍ୟାଦି ସମସ୍ତ ସଂପଦରେ ପରିପୂର୍ଣ୍ଣ । ବିଗତ ବର୍ଷରେ, ବିଗତ ସରକାରଙ୍କର ଇଛାଶକ୍ତି ର ଅଭାବରୁ ଏ ସମସ୍ତ ସମ୍ପଦ ର ଠିକ ବିନିଯୋଗ ହୋଇ ପାରି ନଥିଲା । ମୋହନ ସରକାରଙ୍କ ଏକବର୍ଷ ଶାସନରେ ରାଜ୍ୟର ପ୍ରଗତି ଓ ସମୃଦ୍ଧି ପାଇଁ ସରକାରଙ୍କର ଇଚ୍ଛାଶକ୍ତି ଉପରେ କୈାଣସି ଦ୍ବିମତ ନାହିଁ । ଏଣୁ ଓଡ଼ିଶାର ଜନସାଧାରଣ ଆଶା କରନ୍ତି ସଂପଦଭରା ଓଡ଼ିଶା ମୋହନ ଓ ମୋଦି ସରକାରଙ୍କ ଡବଲ ଇଂଜିନ ଶକ୍ତିରେ ବିକଶିତ ଓଡ଼ିଶା @2036 ଉପଲବ୍ଧି କରି ଏକ ବିକଶିତ ରାଜ୍ୟ ଭାବରେ ସାରାଦେଶରେ ବିକଶିତ ଭାରତ @2047 ଯାତ୍ରାର ନେତୃତ୍ବ ନେଇ ପାରିବ ।