ଆମେରିକାଠୁ ଜରୁରୀ ମହାପ୍ରଭୁଙ୍କ ମାଟି
ମହାପ୍ରଭୁଙ୍କ କ୍ଷେତ୍ରକୁ ଆସିବି ବୋଲି ଟ୍ରମ୍ପଙ୍କ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରିଥିଲି: ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର, ୨୦/୦୬: ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ଆଜି ଓଡ଼ିଶାରେ ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବା ବେଳେ ଏହା କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ କାନାଡ଼ା ଗସ୍ତରେ ଥିଲା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋତେ ଫୋନ କରି ୱାସିଂଟନ ଯିବାକୁ ନିମନ୍ତ୍ରଣ କରିଥିଲେ। କାନାଡା ଆସିଛନ୍ତି, ୱାସିଂଟନ ହୋଇ ଯିବେ। ସାଥିରେ ଭୋଜନ କରିବା ଓ କଥା ହେବା କହିଥିଲେ। ହେଲେ ଓଡ଼ିଶା ଆସିବାର ଥିଲା ବୋଲି ମୁଁ ଟ୍ରମ୍ପଙ୍କୁ ମନା କରିଥିଲି। ଆପଣ ନିମନ୍ତ୍ରଣ କରିଥିବାରୁ ଅଶେଷ ଧନ୍ୟବାଦ୍। ହେଲେ ମୁଁ ଯାଇ ପାରିବି ନାହିଁ। ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି। ମହାପ୍ରଭୁଙ୍କ ମାଟି ଯିବା ଜରୁରୀ ବୋଲି କହିଥିଲି। ତେଣୁ ତାଙ୍କୁ ନମ୍ରତାର ସହିତ ମନା କରିଥିଲି ଆପଣଙ୍କ ଭଲ ପାଇବା ଏବଂ ମହାପ୍ରଭୁଙ୍କ ପ୍ରତି ମୋର ଭକ୍ତି ମୋତେ ଏଠାକୁ ଟାଣି ଆଣିଛି ବୋଲି ମୋଦି ଆଜି ତାଙ୍କ ଅଭିଭାଷଣରେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଏହା ଶୁଣିବା ମାତ୍ରେ ଜୟ ଜଗନ୍ନାଥରେ କମ୍ପି ଉଠିଥିଲା ଜନତା ମଇଦାନ।