ଭୁବନେଶ୍ୱର, ୦୪/୦୭: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣର ତିନି ଦିନ ପରେ ବୁଧବାର ବିଜେପି ନେତା ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର କମିଶନରେଟ୍ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ଷଷ୍ଠ ଅଭିଯୁକ୍ତ ଭାବରେ ଜଗା ପ୍ରଧାନଙ୍କୁ ପରେ ଗିରଫ କରାଯାଇଛି।
ଗତ କାଲି ରାତି ପ୍ରାୟ ସାଢେ ୯ଟା ବେଳେ ସେ ଆତ୍ମସମର୍ପଣ କରିଥିଲେ। ତେବେ ଗିରଫଦାରୀ ପରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମେଡିକାଲ ଟେଷ୍ଟ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ବର୍ତ୍ତମାନ ସେ ଝାରପଡ଼ା ଜେଲରେ ଅଛନ୍ତି। ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସହିଂତାର ଦଫା ୧୨୧ (୧), ୧୨୧ (୨), ୧୩୨, ୧୮୯ (୨), ୧୯୦, ୩ (୫), ୩୦୪/୩୩୩, ୩୫୧ (୨), ୬୪/୬୧ (୨) ଏବଂ ୬୨ ଦଫା ଲାଗିଛି। ଆଜି ପୁନର୍ବାର ସେସନ୍ସ କୋର୍ଟରେ ଜାମିନ ଆବେଦନ କରିବେ ଜଗା।
ଆତ୍ମସମର୍ପଣ କରିବା ପୂର୍ବରୁ, ଜଗା ପ୍ରଧାନ ଗଣମାଧ୍ୟମରେ ଏହି ଘଟଣାରେ ତାଙ୍କ ସମ୍ପୃକ୍ତିକୁ ଅସ୍ୱୀକାର କରିଥିଲେ। ସେ କହିଥିଲେ, “ମୁଁ ପୂର୍ବରୁ ଆକ୍ରମଣକୁ ନିନ୍ଦା କରିସାରିଛି। ମୁଁ ପୁନର୍ବାର କହୁଛି ଯେ ଆକ୍ରମଣରେ ମୋର କୌଣସି ଭୂମିକା ନାହିଁ। କିନ୍ତୁ ଯଦି ମୋର ଗିରଫଦାରୀ ଅଚଳାବସ୍ଥା ସମାଧାନ କରିବାରେ ସାହାଯ୍ୟ କରିପାରିବ, ତେବେ ମୁଁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ବିଏମସି କମିଶନର ରତ୍ନାକର ସାହୁଙ୍କୁ ମାଡ ଘଟଣାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତ କାଲି ରାତିରେ ଜଗା ପ୍ରଧାନଙ୍କୁ ଗିରଫ କରାଯାଇଛି। ଲଗାତାର ୩ ଦିନ ଧରି ଓଏଏସ୍ ସଂଘ ଜଗା ପ୍ରଧାନଙ୍କ ଗିରଫ ଦାବିରେ କାର୍ଯ୍ୟବନ୍ଦ କରିଥିଲେ।