ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତା

ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀରେ ପହଞ୍ଚିଲେ

ଦିଲ୍ଲୀ, ୨୦/୦୭: ଦିଲ୍ଲୀ ଏମ୍ସରେ ପହଞ୍ଚିଲେ ବଳଙ୍ଗା ପୀଡ଼ିତା। ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ସ୍ଥାନାନ୍ତରିତ ହୋଇଛନ୍ତି ପୀଡ଼ିତା। ବଳଙ୍ଗା ପୀଡ଼ିତାଙ୍କୁ ଆଜି ଉତ୍ତମ ଚିକିତ୍ସା ପାଇଁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ଏମ୍ସ ଭୁବନେଶ୍ୱରରୁ ଏକ ଗ୍ରୀନ୍ କରିଡର ମାଧ୍ୟମରେ ବିମାନବନ୍ଦରକୁ ନିଆଯାଇଥିଲା। ପୀଡ଼ିତାଙ୍କୁ ଚିକିତ୍ସା କରିବା ପାଇଁ ଏକ ବିଶେଷ ବିଶେଷଜ୍ଞ ଡାକ୍ତର ଟିମ୍ ନିୟୋଜିତ ହେବେ। ଏମ୍ସ ନିର୍ଦ୍ଦେଶକ ଅଶୁତୋଷ ବିଶ୍ୱାସ କହିଥିଲେ, “ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ରକ୍ତଚାପ ବୃଦ୍ଧି ପାଇଥିଲା, କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗତକାଲି ଅପେକ୍ଷା ଆଜି ଟିକେ ଭଲ ହୋଇଛି।

ସୂଚନାଯୋଗ୍ୟ, ପୀଡ଼ିତାଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରିବା ପାଇଁ ଏକ ୧୪ ଜଣିଆ ବିଶେଷଜ୍ଞ ଟିମ୍ ଗଠନ ହୋଇଥିଲା। ସେମାନେ ଚିକିତ୍ସା ତଦାରଖ କରୁଥିଲେ। ଆଜି ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବାରୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ପଠାଯାଇଛି।