ବୈତରଣୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ

ସତର୍କ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଭଦ୍ରକ, ୨୭/୦୭: ଭଦ୍ରକ ଭଣ୍ଡାରିପୋଖରୀ ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢିଲା ବୈତରଣୀ ନଦୀର ଜଳସ୍ତର। ଚଳିତ ବର୍ଷ ପ୍ରଥମ ବନ୍ୟା ଜଳ ଆସିଛି। ଆଖୁଆପଦା ଠାରେ ବିପଦ ସଂକେତ ଉପରେ ବୈତରଣୀ ନଦୀର ବନ୍ୟା ଜଳ ପ୍ରବାହିତ ହେଉଛି। ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଂକେତ 18.33 ରହିଥିଲା। ଏବେ ଏଠାରେ 18.64 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ତେଣୁ ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି ବ୍ଲକରେ ଥିବା ନଦୀ କୁଳିଆ ଲୋକଙ୍କୁ ସତର୍କ ରହିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ବିଡ଼ିଓ, ତହସିଲଦାର ଏବଂ ଜଳ ସେଚନ ବିଭାଗ ଅଧିକାରୀମାନେ ସ୍ଥିତି ଦେଖି ତଳିଆ ଅଞ୍ଚଳରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଗତ କାଲି ବନ୍ୟା ସ୍ଥିତି ନେଇ ଏକ ପ୍ରସ୍ତୁତି ବୈଠକ ହୋଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜିଲ୍ଲାପାଳ କହିବା ସହିତ ବରିଷ୍ଠ ଅଧିକାରୀମାନଙ୍କୁ ଭଣ୍ଡାରିପୋଖରୀ ଓ ଧାମନଗର ଅଞ୍ଚଳ ଦାୟିତ୍ୱ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ସେହିପରି ଜିଲ୍ଲାପାଳ ଆଜି ଆଖୁଆପଦା ଠାରେ ପହଞ୍ଚି ବନ୍ୟା ସ୍ଥିତି ଦେଖିବା ସହିତ ଜଳ ସେଚନ ବିଭାଗ ଯନ୍ତ୍ରୀ ଓ ବିଡ଼ିଓଙ୍କ ସହିତ ଆଲୋଚନା କରିଛନ୍ତି। ଏହି ବନ୍ୟା ଜଳ କଣ୍ଟି ଘାଇ ଓ ମଲ୍ଲୀ ମାହାରା ଏସକେପ ଦେଇ ପ୍ରବାହିତ ହେବାର ସମ୍ଭାବନା ରହିଛି। ତେଣୁ ଭଣ୍ଡାରିପୋଖରୀ ବ୍ଲକର ୬ ଗୋଟି ପଞ୍ଚାୟତ ଓ ଧାମନଗର ବ୍ଲକ ୮ ଗୋଟି ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।