ଯାଜପୁର, ୧/୮: ଯାଜପୁର ଜିଲ୍ଲାର ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ବରିଷ୍ଠ ରାଜସ୍ୱ ସହାୟକ (SRA) ହେମନ୍ତ କୁମାର ତରାଇଙ୍କୁ ୪,୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ଧରିଛି ଭିଜିଲାନ୍ସ।
କୋରେଇ ଥାନା ବରୁଣ୍ଡେଇ ଅଞ୍ଚଳର ଲକ୍ଷ୍ମୀଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିର ସୀମା ନିର୍ଦ୍ଧାରଣ ପାଇଁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ୫୦୦ ଟଙ୍କା ଦେଇଥିଲେ। ହେଲେ ଆଉ ବାକି ଟଙ୍କା ଦେଇ ପାରିବେ ନାହିଁ ବୋଲି କହିଥିଲେ ଲକ୍ଷ୍ମୀଧର। ଚାପ ଗ୍ରସ୍ତ ହୋଇ ଶେଷରେ ଲକ୍ଷ୍ମୀଧର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଶୁକ୍ରବାର ତହସିଲ କାର୍ଯ୍ୟାଳୟରେ ସେ ୪,୫୦୦ ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ହେମନ୍ତଙ୍କ ସହ ଜଡ଼ିତ ତିନୋଟି ସ୍ଥାନରେ ଚଢ଼ାଉ ଚାଲିଛି।