ଭୁବନେଶ୍ୱର, ୨/୮: ଆଜି ଓଡ଼ିଆ ଅଭିନେତା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ କନକ ମହାପାତ୍ରଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଏବଂ ପ୍ରଭାତୀ ପରିଡା ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ସିଦ୍ଧାନ୍ତ ମହାପାତ୍ରଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଏକ୍ସରେ ଶୋକ ବ୍ୟକ୍ତ କରି କହିଛନ୍ତି, “ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃବିୟୋଗ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ଓ ଶୋକାକୁଳ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲି। ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ।”
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଶୋକ ବ୍ୟକ୍ତ କରି କହିଛନ୍ତି, “ଓଡ଼ିଶାର ଖ୍ୟାତନାମା ଅଭିନେତା ତଥା ଆମ ଦଳର ମାନ୍ୟବର ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ରଙ୍କ ମାତା କନକ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବେ ଦୁଃଖିତ ଏବଂ ମର୍ମାହତ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି।”
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, “ଲୋକପ୍ରିୟ ଅଭିନେତା ତଥା ଆମ ଦଳର ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ମାତା ଶ୍ରୀମତୀ କନକ ମହାପାତ୍ରଙ୍କ ପରଲୋକ ଖବର ଶୁଣି ମୁଁ ଦୁଃଖିତ। ଏ ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରୁଛି।”