ବାଚସ୍ପତିଙ୍କ ଦ୍ୱାରା ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ୍ ଉନ୍ମୋଚିତ

ଜନସାଧାରଣଙ୍କ ଅଂଶଗ୍ରହଣ ଓ ସମ୍ପୃକ୍ତିକୁ ଏହା ପ୍ରୋତ୍ସାହିତ କରିବ: ବାଚସ୍ପତି

ଭୁବନେଶ୍ୱର, ୮/୮: ଆଜି ଓଡ଼ିଶା ବିଧାନସଭାର ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏହି ୱେବ୍‌ସାଇଟ୍‌କୁ ଉନ୍ମୋଚନ କରି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ ଏଭଳି ପ୍ରୟାସ ଅଧିକ ସ୍ୱଚ୍ଛ ଓ ପାରଦର୍ଶିତା ଦିଗରେ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଓଡ଼ିଶା ସରକାରଙ୍କ ଆଇଟି ଓ ଇଟି ବିଭାଗ ଏବଂ ଭାରତ ସରକାରଙ୍କ ଏନ୍‌ଆଇସିର ବୈଷୟିକ ପରାମର୍ଶରେ ବିକଶିତ ହୋଇଥିବା ଏହି ନୂତନ ୱେବ୍‌ସାଇଟ୍‌ ବିଧାନସଭା କାର୍ଯ୍ୟଧାରାକୁ ଜନସାଧାରଣଙ୍କ ପାଇଁ ଅଧିକ ସୁଗମ ଏବଂ ସ୍ୱଚ୍ଛ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ନାଗରିକମାନଙ୍କୁ ବିଧାନସଭାର କାର୍ଯ୍ୟକଳାପ, ନିଷ୍ପତ୍ତି ଏବଂ ପଦକ୍ଷେପ ବିଷୟରେ ସଠିକ୍‌ ଏବଂ ସବିଶେଷ ସୂଚନା ପ୍ରଦାନ କରିବ ବୋଲି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଥିଲେ ।

ଏହି ଉନ୍ମୋଚନ ସୁଶାସନ ଏବଂ ନାଗରିକ ସମ୍ପୃକ୍ତି ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବା କ୍ଷେତ୍ରରେ ପ୍ରତିବଦ୍ଧତାର ଏକ ନିଦର୍ଶନ । ଏହି ପ୍ଲାଟ୍‌ଫର୍ମ କେବଳ ବିଧାନସଭାର କାର୍ଯ୍ୟକାରିତାକୁ ବୃଦ୍ଧି କରିବ ନାହିଁ ବରଂ ଓଡ଼ିଶାର ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣ ଏବଂ ସମ୍ପୃକ୍ତିକୁ ମଧ୍ୟ ପ୍ରୋତ୍ସାହିତ କରିବ ।

ଚଳିତ ଅଗଷ୍ଟ ମାସ ୨୯ ଓ ୩୦ ତାରିଖରେ ଦୁଇଦିନ ଧରି ଓଡ଼ିଶାରେ ଜାତୀୟ ସ୍ତରର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ସମ୍ମିଳନୀ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଲୋକସଭାର ମାନ୍ୟବର ବାଚସ୍ପତି ଓ ରାଜ୍ୟସଭାର ମାନ୍ୟବର ଉପାଧ୍ୟକ୍ଷ ଏବଂ ସଂସଦର ଉଭୟ ଗୃହ ଓ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିମାନଙ୍କର ଅଧ୍ୟକ୍ଷ ଓ ସଦସ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅତିଥିମାନେ ଏହି ନୂତନ ୱେବ୍‌ସାଇଟ୍‌ରେ ପାର୍ଲାମେଣ୍ଟ ଦ୍ୱାରା ପ୍ରଦତ୍ତ ଲିଙ୍କ୍‌ରେ ରେଜିଷ୍ଟେସନ୍‌ କରିବାର ସୁବିଧା ପାଇବେ ।

ଏହି ଅବସରରେ ଶକ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ଓକାକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଦୀପ ରାଉତ, ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ, ବିଧାନସଭାରେ କାର୍ଯ୍ୟରତ ଏନ୍‌ଆଇସିର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଅଶୋକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।