ଶାରିରୀକ ପରୀକ୍ଷା ବେଳେ ହୋମଗାର୍ଡ ପରୀକ୍ଷାର୍ଥୀଙ୍କ ମୃତ୍ୟୁ

କ୍ଷତିପୂରଣ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮/୮: ଖୋର୍ଦ୍ଧା ଜିଲ୍ଲାରେ ହୋମଗାର୍ଡ ପାଇଁ ଶାରୀରିକ ପରୀକ୍ଷା ବେଳେ ଜଣେ ପ୍ରାର୍ଥୀ ଅଚେତ ହୋଇ ମୃତ୍ୟୁବରଣ କରିଥିଲେ। ମୃତକଙ୍କ ନାମ ଅମାଦୁଲା ହକ୍ ଖାନ। ଦୌଡ଼ ପରୀକ୍ଷା ସମୟରେ ପ୍ରାର୍ଥୀ ଅସୁସ୍ଥ ଅନୁଭବ କରିଥିଲେ ଏବଂ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା (DHH)କୁ ପଠାଯାଇଥିଲା। ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଖୋର୍ଦ୍ଧାରେ ହୋମ୍ ଗାର୍ଡ ନିଯୁକ୍ତି ପାଇଁ ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷାର୍ଥୀ ଅମାଦୁଲା ହକ୍ ଖାନ (ପିତା- ତଜବୁଲା ହକ୍ ଖାନ) ଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଉଛି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି।”