ଭୁବନେଶ୍ୱର, ୧୫/୮: ଭୁବନେଶ୍ବର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ରାଜ୍ୟପାଳ ହରିବାବୁ କମ୍ଭପପାଟି, ବିଶିଷ୍ଟ ମନ୍ତ୍ରୀମାନେ, ବରିଷ୍ଠ ଅଧିକାରୀ ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। ଏହି ଅବସରରେ ଗାନ୍ଧି ମାର୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସଙ୍ଗଠିତ ଅପରାଧକୁ ଦମନ କରାଯିବ। ମହିଳା ସୁରକ୍ଷା ପାଇଁ ଆମର ଶୂନ୍ୟ ସହନଶୀଳ ନୀତି ରହିଛି। ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡାଯିବ ନାହିଁ। ସେ ବ୍ୟକ୍ତି ଯେତେ ବି ଶକ୍ତିଶାଳୀ ହୁଅନ୍ତୁ ଛଡାଯିବ ନାହିଁ। ସେମାନଙ୍କ ସ୍ଥାନ ଜେଲ୍ରେ ସମାଜରେ ନୁହେଁ। ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ କ୍ଷମତା ଦିଆଯାଇଛି। ମହିଳା ସୁରକ୍ଷାରେ ଅବହେଳା କଲେ ଆଇନ ଅନୁସାାରେ ପଦକ୍ଷେପ ନିଆଯିବ। ରାଜ୍ୟରେ ଆଇନ ଶୃଙ୍ଖଳା ମୋଟାମୋଟି ନିୟନ୍ତ୍ରଣାଧୀନ ରହିଛି। ଏହାକୁ ଆହୁରି ପ୍ରଭାବୀ କରିବାକୁ ହେବ। ଅପରାଧ ବୃଦ୍ଧିର ବଡ଼ କାରଣ ହେଉଛି ନିଶା କାରବାର। ନିଶା ମାଫିଆଙ୍କୁ ଦମନ ପାଇଁ ନିର୍ଦ୍ଦେଶ ଦେଇଛି। ଗାଁ ଠାରୁ ରାଜଧାନୀ ଯାଏ ଗୁଣ୍ଡାରାଜକୁ ଦମନ କରାଯିବ। ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଳିଛି, ଦଣ୍ଡବିଧାନ କରାଯିବ। ସଂଗଠିତ ଅପରାଧକୁ ନିୟନ୍ତ୍ରଣ ପାଇଁ ଆଇନ୍ ଆଣିବାକୁ ପଛାଇବୁନି। ଦାଦାବଟି, ଚାନ୍ଦା ଆଦାୟକୁ ସଙ୍ଗଠିତ ଅପରାଧରେ ବିଚାର କରି କାର୍ଯ୍ୟାନୁଷ୍ଠାନ ନେବୁ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆଗାମୀ ଦିନରେ ଦେଶର ଫାର୍ମା ହବ୍ ହେବ ଓଡ଼ିଶା। ଏକ ଫାର୍ମା କନ୍କ୍ଲେଭ୍ କରିବାକୁ ଯାଉଛନ୍ତି ସରକାର। ଦେଶ ବିଦେଶର ପ୍ରମୁଖ ଫାର୍ମା କମ୍ପାନୀ ଓଡ଼ିଶାକୁ ଆସିବେ। ନିଜ ନିଜର ପ୍ରତିଷ୍ଠାନ ନିର୍ମାଣ କରିବାକୁ ଆଗଭର ହେବେ। ଏହାଦ୍ବାରା ଆଗାମୀ ଦିନରେ ଓଡ଼ିଶା ଦେଶର ଫାର୍ମା ହବ ହୋଇପାରିବ। ଏହି କ୍ଷେତ୍ରରେ ଅଢ଼େଇ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟିହେବ।
ସେହିପରି ଆଗାମୀ ୫ ବର୍ଷରେ ‘୭୫ ହଜାର କିମି ଉଚ୍ଚମାନର ସଡ଼କ ନିର୍ମାଣ ହେବ। ଆଉ ୪ଟି ନୂଆ ବନ୍ଦର ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛୁ। ଇଞ୍ଚୁଡି, ବାହୁଡା, ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗରେ ବନ୍ଦର ନିର୍ମାଣ ଲକ୍ଷ୍ୟ ରଖିଛୁ।
ଆଉ ୨୧ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହେବ। ରାଜ୍ୟର ମାତ୍ର ୧୭ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ରହୁଛନ୍ତି। ତେଣୁ ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ ୨୧ଟି ନୂଆ NAC ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି।
ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରି କହିଛନ୍ତି, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅଧିକ ଚାଉଳ ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ୧୧ଟି ଜିଲ୍ଲାକୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଯୋଗାଇ ଦିଆଯିବ। ୮ KBK ଜିଲ୍ଲା ସହ ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ସୁବିଧା ମିଳିବ। ୩ ମାସ ପାଇଁ ୨୭ ଲକ୍ଷରୁ ଊର୍ଦ୍ଧ୍ବ ପରିବାରକୁ ମିଳିବ ଏହି ସୁବିଧା। ମୋଟ ୪୧ ହଜାର ୮୨ ମେଟ୍ରିକ ଟନ୍ ଅତିରିକ୍ତ ଚାଉଳ ବଣ୍ଟନ କରାଯିବ। ଏଥି ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ପ୍ରାୟ ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।