ଅନୁଭବଙ୍କ ଅଭିନୀତ ସିନେମାକୁ ନେଇ ରାଜନୀତି

ସିନେମାକୁ ନେଇ ତେଜିଲା ବିବାଦ

ଚଳଚ୍ଚିତ୍ର ନାମକରଣକୁ ନେଇ ପ୍ରଶ୍ନ ଉଠାଇଲେ ଭକ୍ତ

ଭୁବନେଶ୍ୱର, ୨୬/୮: ଆଗକୁ ଆସୁଛି ଓଲିଉଡ଼ ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କ ଚଳଚ୍ଚିତ୍ର ‘ଚାରିଧାମ’। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ନାମକରଣକୁ ନେଇ ଦେଖା ଦେଇଛି ବିବାଦ। ଚଳଚ୍ଚିତ୍ରକୁ ନେଇ ସୃଷ୍ଟି ହୋଇଛି ରାଜନୀତି। ଏହି ଚଳଚ୍ଚିତ୍ରର ନାମକରଣକୁ ନେଇ ଅନୁଭବଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ।

ଏପରି ନାମକରଣ ଦ୍ୱାରା ଓଡ଼ିଆ ଅସ୍ମିତାକୁ ଅପମାନ କରାଯାଉଛି ବୋଲି ଭକ୍ତ ସମାଲୋଚନା କରି କହିଛନ୍ତି। ଭକ୍ତ କହିଛନ୍ତି, “ବିଜେପି ନେତା ଅନୁଭବ ମହାନ୍ତି ତାଙ୍କ ସିନେମା ପାଇଁ ଚାରିଧାମ ଶବ୍ଦ ବ୍ୟବହାର କରିବାକୁ ମୁଁ ଦୃଢ଼ ବିରୋଧ କରୁଛି। ଚାରିଧାମ ହିନ୍ଦୁ ଧର୍ମରେ ଚାରୋଟି ପବିତ୍ର ତୀର୍ଥସ୍ଥଳକୁ ଏକ ପବିତ୍ର ତୀର୍ଥଯାତ୍ରାକୁ ସୂଚିତ କରେ। କିନ୍ତୁ ସିନେମା ପୋଷ୍ଟରରେ ଏହାକୁ ଆପତ୍ତିଜନକ ଭାବରେ ଦର୍ଶାଯାଇଛି‌ ବୋଲି କହିବା ସହ ବିଜେପି କାହିଁକି ଓଡ଼ିଆ ଅସ୍ମିତାକୁ ଅପମାନ କରୁଛି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ। ତେବେ ଏ ସଂକ୍ରାନ୍ତରେ ଅନୁଭବଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ଗତ କିଛି ଦିନ ପୂର୍ବରୁ ଏହି ଚଳଚ୍ଚିର ପୋଷ୍ଟର ରିଲିଜ ହୋଇଥିଲା। ଏହାର ଏକ ଗୀତ ‘କେରକେରା’ ମଧ୍ୟ ରିଲିଜ ହୋଇଛି। ହିମାଦ୍ରୀ ତନୟା ଦାସଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ତାପସ ସରଘରିଆ। ଏହି ସିନେମା ଆସନ୍ତା ଦଶହରା ବଜାରରେ ରିଲିଜ ହେବାକୁ ଯାଉଛି। ଗତ କିଛି ଦିନ ପୂର୍ବରୁ ଏହାର ଟ୍ରେଲର ରିଲିଜ୍ ହୋଇଛି। ଏଥିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଅନୁଭବ ମହାନ୍ତି।

ଲଗାତାର କିଛି ବର୍ଷ ଧରି ଓଡ଼ିଆ ସିନେମା ବକ୍ସ ଅଫିସରେ ହିଟ୍ ହେଉଥିବା ବେଳେ ଏହି ସିନେମା କେତେ ଦୂର ଦର୍ଶକଙ୍କ ମନ ଜିଣି ପାରୁଛି ତାହା ଦେଖିବା ବାକି ରହିଲା।