ହାଇଦ୍ରାବାଦ, ୩/୯: ତେଲେଙ୍ଗାନାର ଆଞ୍ଚଳିକ ଦଳ ଭାରତ ରାଷ୍ଟ୍ର ସମିତି (BRS)ର ସଭାପତି କେ ଚନ୍ଦ୍ରଶେଖର ରାଓ ତାଙ୍କ ନିଜ ଝିଅକୁ ଦଳରୁ ନିଲମ୍ବିତ କରିବାର ଗୋଟିଏ ଦିନ ପରେ ଦଳରୁ ଇସ୍ତଫା ଦେଇଛନ୍ତି କେ କବିତା। କେ କବିତା ତାଙ୍କ ସମ୍ପର୍କୀୟ ଭାଇ ତଥା ପୂର୍ବତନ ଜଳସେଚନ ମନ୍ତ୍ରୀ ଟି ହରିଶ ରାଓ ଏବଂ ପୂର୍ବତନ ସାଂସଦ ଜେ ସନ୍ତୋଷ ରାଓଙ୍କ ବିଷୟରେ ଏକ ବିବାଦୀୟ ବୟାନ ଦେବା ପରେ ମଙ୍ଗଳବାର ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଦଳର ଶୃଙ୍ଖଳା ଭଙ୍ଗ କରିବା ଏବଂ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା।
ତେବେ ଦଳରୁ ଇସ୍ତଫା ଦେବା ପରେ ସେ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସମ୍ପର୍କୀୟ ଭାଇମାନେ କରିଥିବା ଦୁର୍ନୀତି ଯୋଗୁଁ ତାଙ୍କ ବାପାଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା। ଏହା ସହ ତାଙ୍କ ପରିବାରକୁ ତାଙ୍କ ସମ୍ପର୍କୀୟ ଭାଇ ଧ୍ୱଂସ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ହରିଶ ରାଓ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ତାଙ୍କ ବାପା ଓ ଭାଇ କେଟିଆରଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର ରଚିଥିଲେ।