ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ପାରଳାରେ ହାଇଟେକ୍ ମେଡିକାଲ ପାଇଁ ଅନୁରୋଧ
ଡ଼ଃ ତିରୁପତି ପାଣିଗ୍ରାହୀଙ୍କୁ ଭେଟିଲେ ବାଣିଜ୍ୟ ମନ୍ତ୍ରୀ
ପାରଳାଖେମୁଣ୍ଡି, ୩/୯: ଗଜପତି ଜିଲ୍ଲାରେ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପାରଳାଖେମୁଣ୍ଡି ଠାରେ ହାଇଟେକ୍ ଅତ୍ୟାଧୁନିକ ମେଡିକାଲ ନିର୍ମାଣ କରିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ – ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା , ଶିଳ୍ପପତି ତଥା ହାଇଟେକ୍ ମେଡିକାଲ କଲେଜ ଅଧ୍ୟକ୍ଷ ଶିକ୍ଷାବିତ୍ ଡ଼ଃ ତିରୁପତି ପାଣିଗ୍ରାହୀଙ୍କୁ ସାକ୍ଷାତ କରି ନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି ।
ପରେ ମନ୍ତ୍ରୀ ଶ୍ରୀ ଜେନା, ଭୁବନେଶ୍ବର ସ୍ଥିତ ହାଇଟେକ୍ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଦେଖିବା ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିବା ପାଇଁ ହାଇଟେକ୍ ମେଡିକାଲ କଲେଜକୁ ଯାଇଥିଲେ । ମେଡିକାଲ କଲେଜରେ ରୋଗୀ ମାନଙ୍କ ଉତ୍ତମ ଚିକିତ୍ସା ସେବା ବ୍ୟବସ୍ଥା ସହ ସେଠାକାର ପରିବେଶ , ସଫାସୁତୁରା ଓ ଅନ୍ୟାନ୍ୟ ବ୍ୟବସ୍ଥା ଦେଖି ଅତ୍ୟନ୍ତ ସନ୍ତୋଷ ପ୍ରକଟ କରିଥିଲେ ।
ତା ପରେ ସେଠାରେ ସେ ହାଇଟେକ୍ ମେଡିକାଲ୍ କଲେଜର ଅଧକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ।
ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ଜେନା , ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀଙ୍କୁ ଅନୁରୋଧ କରି କହିଥିଲେ ଯେ , ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ଲୋକଙ୍କ କାଁ ଭାଁ କେତୋଟି ରୋଗକୁ ଛାଡ଼ି ଦେଲେ ଅନ୍ୟ ରୋଗ ମାନଙ୍କ ଚିକିତ୍ସା କ୍ଷେତ୍ରରେ କୌଣସି ବ୍ୟବସ୍ଥା ନାହିଁ , ଏମିତି କି ସାମାନ୍ୟ ରୋଗାକ୍ରାନ୍ତ ହେଲେ ବି ଲୋକେ ଚିକିତ୍ସା ସୁବିଧା ପାଇଁ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ନଚେତ୍ ବିଶାଖାପାଟଣା ସହରକୁ ଯାଇ ସେଠାରେ ଥିବା ମେଡିକାଲ ରେ ଭର୍ତ୍ତି ହୋଇ ଅଧିକ ଖର୍ଚ୍ଚାନ୍ତ ହୋଇ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି , ତେଣୁ କରି ଏହାର ବିକଳ୍ପ ଏବଂ ଜିଲ୍ଲାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ସେବାରେ ସୁବିଧା ଦୃଷ୍ଟିରୁ ପାରଳାଖେମୁଣ୍ଡି ଠାରେ ଏକ ଉଚ୍ଚକୋଟିର ତଥା ଅତ୍ୟାଧୁନିକ ମାନର ମେଡ଼ିକାଲ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନାଙ୍କ ଅନୁରୋଧକୁ ରକ୍ଷା କରି ଅଧ୍ୟକ୍ଷ ଡ଼ଃ ପାଣିଗ୍ରାହୀ କହିଥିଲେ ଯେ , ନିଶ୍ଚିତ ଭାବେ ଆଗାମୀ କିଛିଦିନ ମଧ୍ୟରେ ପାରଳାଖେମୁଣ୍ଡି ଠାରେ ଏକ ଅତ୍ୟାଧୁନିକ ମେଡିକାଲ୍ ନିର୍ମାଣ କରି ଗଜପତି ବାସୀଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ସେବା ଯୋଗାଇ ଦେବା କ୍ଷେତ୍ରରେ ଏକ ବଳିଷ୍ଠ ଉପହାର ଦିଆଯିବ ବୋଲି କହିଥିଲେ ।
ମନ୍ତ୍ରୀ ଶ୍ରୀ ଜେନା , ଦକ୍ଷିଣ ଓଡ଼ିଶା ର ଲୋକ ହୋଇଥିବାରୁ ତାଙ୍କର ଗଜପତି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗ୍ରହ ଥିବା ଜଣାପଡିଛି ।