ଶ୍ରୀମନ୍ଦିର ଧାଡ଼ି ଦର୍ଶନକୁ ଅନୁମୋଦନ: ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।

ଶ୍ରୀମନ୍ଦିର ସୁରକ୍ଷା ନେଇ ସବ୍‌କମିଟି ଗଠନ

ଭୁବନେଶ୍ୱର, ୩/୯: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ନୂଆ ପରିଚାଳନା କମିଟିର ଏହା ପ୍ରଥମ ବୈଠକ ଥିଲା। ବୈଠକ ଆରମ୍ଭରୁ ନୂତନ ସଦସ୍ୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପୁରୀ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା।

ଏ ନେଇ ବୈଠକ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ଶ୍ରୀ ପାଢୀ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ନେଇ ଏକାଧିକ ସବ୍‌କମିଟି ଗଠନ ହୋଇଛି। ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ନେଇ ସବ୍‌କମିଟି ଗଠନ ହୋଇଛି। ଏହାର ମୁଖ୍ୟ ରହିବେ ଗିରିଶ୍ ଚନ୍ଦ୍ର ମୁର୍ମୁ। ଏହି କମିଟିରେ ପୁରୀ ଏସ୍‌ପି ଓ ସେବାୟତ ମଧ୍ୟ ରହିବେ। ସେହିପରି ସେବକ କଲ୍ୟାଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସବ୍‌କମିଟି ଗଠନ ହୋଇଛି।

ଏତଦବ୍ୟତୀତ ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପରିଚାଳନା କମିଟିର ଅନୁମୋଦନ ମିଳିଛି। ଧାଡ଼ି ବ୍ୟବସ୍ଥାର ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। କମିଟିରେ ୯ ଜଣ ସଦସ୍ୟ ଅଛନ୍ତି, ସେମାନେ ସବୁ ଦିଗରୁ ଅନୁଧ୍ୟାନ କରିବେ। ସମ୍ପୃକ୍ତ ନିଯୋଗ ସହ ଭଲ ଭାବେ ଆଲୋଚନା କରିବେ।ଯେପରି ମହାପ୍ରଭୁଙ୍କ ନୀତି ବିଳମ୍ବିତ ନ ହେବ ଗୁରୁତ୍ବ ଦେବେ।

ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନକୁ ଲାଗୁ କରାଯିବ। ଦରକାର ପଡ଼ିଲେ ଜିଲ୍ଲାପାଳଙ୍କ ନେତୃତ୍ବାଧୀନ କମିଟି ସଂଶୋଧନ କରିବ। ଖୁବ୍‌ ଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି। ନାଟମଣ୍ଡପରେ ବାତ୍ତାନୁକୁଳ କରିବା ପାଇଁ ASI ମଧ୍ୟ ଅନୁମୋଦନ ଦେଇଛି ବୋଲି ଅରବିନ୍ଦ ପାଢୀ କହିଛନ୍ତି।