ୟୁରିଆ ବ୍ୟାଗକୁ ନେଇ ରାଜରାସ୍ତାରେ ଦୁଇ ମହିଳା ହାତାହାତି
ଲମ୍ବା ଧାଡ଼ି ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା କହିଲେ ମୁଖ୍ୟମନ୍ତ୍ରୀ
ହାଇଦ୍ରାବାଦ, ୬/୯: ତେଲେଙ୍ଗାନାର ମହବୁବାବାଦ ସହରରେ ବିବେକାନନ୍ଦ କେନ୍ଦ୍ରର ଆଗ୍ରୋସ୍ ରାଇଥୁ ସେବା କେନ୍ଦ୍ର ସମ୍ମୁଖରେ ୟୁରିଆ ବସ୍ତାକୁ ନେଇ ଦୁଇ ମହିଳା ପରସ୍ପର ସହିତ ମାରପିଟ୍ ଲାଗିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡ଼ିଓରେ ଦେଖାଯାଇଛି ଯେ, ସେମାନେ ପରସ୍ପରର ଚୁଟି ଟାଣି ରାସ୍ତା ଉପରେ ଉଭୟ ପରସ୍ପରକୁ ମାଡ଼ ମାରିଥିଲେ। ଦୁଇ ମହିଳା ଲଢ଼ୁଥିବା ସମୟରେ କିଛି ଦେଖଣାହାରୀ ମଧ୍ୟ ଭିଡ଼ିଓ ବନାଇଥିଲେ। ଦୁଇଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇବା ପରେ ସେମାନେ ଅଟକିଥିଲେ।
ଚାଷୀମାନେ ସାର ବ୍ୟାଗ ସଂଗ୍ରହ କରିବା ପାଇଁ ଆଧାର କାର୍ଡ ଫଟୋକପି ସହିତ ଧାଡ଼ିରେ ଠିଆ ହେବା ସମୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏହା ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା।
ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଏହି ଘଟଣାକୁ ନେଇ ପ୍ରତିକ୍ରିୟାରେ କହିଛନ୍ତି ଯେ ୟୁରିଆ ଷ୍ଟକ୍ ଉପଲବ୍ଧ ଅଛି, କିନ୍ତୁ ଧାଡ଼ିରେ ଛିଡ଼ା ହୋଇ ରହିବା ଏହାକୁ ଅଧିକ ଜଟିଳ କରି ଦେଉଛି। ଯେତେବେଳେ ଗୋଟିଏ ସ୍ଥାନରେ ଭିଡ଼ ଜମା ହୁଏ, ଷ୍ଟକ୍ ଉପଲବ୍ଧ ଥିଲେ ମଧ୍ୟ ଧାଡ଼ି ଲମ୍ବା ଦେଖାଯାଏ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ଲୋକଙ୍କ ମଧ୍ୟରେ ପ୍ରାୟତଃ ହତାଶ ଭାବନା ସୃଷ୍ଟି କରେ। ୧୦୦୦ ଲୋକ ଧାଡ଼ିରେ ଥିବାବେଳେ, ଶେଷ ବ୍ୟକ୍ତିଙ୍କୁ ୮ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥାଏ। ଧୈର୍ଯ୍ୟ ବିନା ଏତେ ସମୟ ଧରି ଠିଆ ହୋଇ ସେ ହତାଶ ଅନୁଭବ କରନ୍ତି ଏବଂ ଦାବି କରନ୍ତି ଯେ ୟୁରିଆ ନାହିଁ, ତା’ପରେ ପ୍ରତିବାଦରେ ରାସ୍ତାରେ ବସିଯାଆନ୍ତି” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ତେବେ ପୂର୍ବରୁ, ତେଲେଙ୍ଗାନା ସରକାର ଅଭିଯୋଗ କରିଥିଲେ ଯେ ଏନଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରତିଶ୍ରୁତି ଅନୁଯାୟୀ ୟୁରିଆ ବଣ୍ଟନ କରିବାରେ ବିଫଳ ହୋଇଛି, ଯାହା ଦ୍ୱାରା ଚାଷୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେବେ ରାଜ୍ୟ ବିଜେପି ଏହି ଘଟଣା ପାଇଁ ତେଲେଙ୍ଗାନା ସରକାରଙ୍କୁ ଦାୟୀ କରିଛି।