ୟୁକ୍ରେନର ମନ୍ତ୍ରୀଙ୍କ ବାସଭବନ ଉପରେ ଆକ୍ରମଣ

ଜଳିଗଲା କୋଠା, ଏକାଧିକ ମୃତ

କିଭ୍, ୭/୯: ରବିବାର ୟୁକ୍ରେନ-ରୁଷ ଯୁଦ୍ଧ ପୁଣି ବୃଦ୍ଧି ପାଇଛି। ରୁଷ ସେନା କିଭରେ ଥିବା ୟୁକ୍ରେନର କ୍ୟାବିନେଟ୍ ମନ୍ତ୍ରୀଙ୍କ ସରକାରୀ ବାସଭବନ ଉପରେ ଆକ୍ରମଣ କରିଛନ୍ତି। ଯାହା ପରେ ବିଲ୍ଡିଂଟି ଜଳି ଯାଇଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି‌। ପ୍ରତିଶୋଧ ସ୍ୱରୂପ, ୟୁକ୍ରେନ ବ୍ରାୟନସ୍କ ଅଞ୍ଚଳରେ ରୁଷର ଡ୍ରୁଜବା ତେଲ ପାଇପଲାଇନକୁ ଆକ୍ରମଣ କରିଛି।

ଏହି ଆକ୍ରମଣକୁ ୟୁକ୍ରେନର ଅଧିକାରୀ ମାନେ ଅତ୍ୟନ୍ତ ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି। ୟୁକ୍ରେନର ପ୍ରଧାନମନ୍ତ୍ରୀ ୟୁଲିଆ ସ୍ୱିରିଡେନକୋ ନିଶ୍ଚିତ କରିଛନ୍ତି, “ପ୍ରଥମ ଥର ପାଇଁ, ଶତ୍ରୁପକ୍ଷର ଆକ୍ରମଣରେ ଏକ ସରକାରୀ କୋଠା କ୍ଷତିଗ୍ରସ୍ତ ହୋଇଛି। ଆମେ କୋଠାଗୁଡ଼ିକୁ ପୁନରୁଦ୍ଧାର କରିବୁ, କିନ୍ତୁ ହରାଇଥିବା ଜୀବନକୁ ଫେରାଇ ଅଣାଯାଇପାରିବ ନାହିଁ।”

ମେୟର ଭିଟାଲି କ୍ଲିଟସ୍କୋ କହିଛନ୍ତି ଯେ ଡ୍ରୋନ ସହ ମିସାଇଲ ଆକ୍ରମଣ ମଧ୍ୟ ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ଯୁବତୀ, ଜଣେ ବୃଦ୍ଧା ଓ ଜଣେ ଶିଶୁ ଥିଲେ। ସେହିପରି ଆହତଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଥିଲେ। ସ୍ୱିଆଟୋଶିନସ୍କି ଏବଂ ଡାର୍ନିଟସ୍କିରେ ଆବାସିକ ଅଞ୍ଚଳଗୁଡ଼ିକରେ ଆକ୍ରମଣ ହୋଇଥିଲା। ଏଥିରେ ଅନେକ କୋଠା ଭୁଶୁଡ଼ି ପଡ଼ିଥିଲା।

ୟୁକ୍ରେନର ବାୟୁସେନା କହିଛି ଯେ ଆକ୍ରମଣରେ ୮୦୫ ଡ୍ରୋନ୍ ଏବଂ ୧୩ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା।

ୟୁକ୍ରେନୀୟ ସୈନ୍ୟମାନେ ବ୍ରାୟନସ୍କରେ ଡ୍ରୁଝବା ତେଲ ପାଇପଲାଇନ ଉପରେ ଆକ୍ରମଣ କରିଛନ୍ତି। ଏହି ପାଇପଲାଇନ ଦ୍ୱାରା ହଙ୍ଗେରୀ ଏବଂ ସ୍ଲୋଭାକିଆକୁ ତେଲ ରପ୍ତାନୀ ହୁଏ। ୟୁକ୍ରେନର ଅନ୍ୟ ସହର ଗୁଡ଼ିକରେ ମଧ୍ୟ ଆକ୍ରମଣ ହୋଇଛି।