ଇସ୍ରାଏଲ ଉପରେ ୟେମେନର ଆକ୍ରମଣ

ଏକାଧିକ ଡ୍ରୋନ ଖସାଇଲା ଆଇଡିଏଫ

ଜେରୁଜେଲମ, ୭/୯: ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ। ଇସ୍ରାଏଲ ଉପରେ ଆକ୍ରମଣ କରିଛି ୟେମେନ। ଇସ୍ରାଏଲ ଉପରେ ବଡ଼ ଡ୍ରୋନ ଆକ୍ରମଣ କରିଛି ବୋଲି ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ନିଶ୍ଚିତ କରିଛି।

ତେବେ IDF ତିନୋଟି ମାନବହୀନ ବିମାନ ଯାନ (UAV)କୁ ଅଟକାଇଥିବା ଦାବି କରିଛି। IDF କହିଛି ଯେ ଦୁଇଟି ଡ୍ରୋନକୁ ଇସ୍ରାଏଲୀ ଅଞ୍ଚଳ ଭିତରକୁ ପ୍ରବେଶ କରିବା ପୂର୍ବରୁ ହିଁ ଗୁଳି କରି ଖସାଇ ଦିଆଯାଇଛି। ଦକ୍ଷିଣ ଇସ୍ରାଏଲରେ ଯୁଦ୍ଧର ସାଇରନ ବାଜିଥିଲା।

ଇରାନ ସମର୍ଥିତ ଗୋଷ୍ଠୀ ହୁତିର ସୂଚନା ଅନୁଯାୟୀ, ସନାରେ ହୁଥି-ନିୟନ୍ତ୍ରିତ ପ୍ରଶାସନର ପ୍ରଧାନମନ୍ତ୍ରୀ ଅହମ୍ମଦ ଅଲ-ରାହାୱି ଇସ୍ରାଏଲର ବିମାନ ଆକ୍ରମଣରେ ମୃତ୍ୟୁବରଣ କରିବାର ଗୋଟିଏ ସପ୍ତାହ ପରେ ୟେମେନ ଦ୍ୱାରା ଆକ୍ରମଣ କରାଯାଇଛି।

ଗତ ସପ୍ତାହରେ ହୁତି ଏକ ବିବୃତ୍ତିରେ କହିଥିଲା ଯେ ଅଲ-ରାହାୱିଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଆକ୍ରମଣରେ ପ୍ରାଣ ହରାଇଥିଲେ। ସରକାରଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା କରିବା ପାଇଁ ଅଧିକାରୀମାନେ ଏକ କର୍ମଶାଳାରେ ଯୋଗଦେବା ସମୟରେ ଏହି ଆକ୍ରମଣ ହୋଇଥିଲା।