ନେପାଳରେ ସୋସିଆଲ ମିଡ଼ିଆ ଉପରୁ ବ୍ୟାନ ହଟିଲା

ହିଂସା ଘଟଣାର ତଦନ୍ତ ପାଇଁ କମିଟି ଗଠନ କଲେ ନେପାଳ ସରକାର

କାଠମାଣ୍ଡୁ, ୯/୯: ନେପାଳରେ ସୋସିଆଲ୍ ମିଡିଆ ବ୍ୟାନ୍ ବିରୋଧରେ ଜେନ୍ ଜି ମାନଙ୍କ ବ୍ୟାପକ ଆନ୍ଦୋଳନ ପରେ ଅଧିକାଂଶ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ଲଗାଯାଇଥିବା ବ୍ୟାନ୍ ହଟାଇ ଦିଆଯାଇଛି। ଏହି ହିଂସାତ୍ମକ ପ୍ରତିବାଦରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ। ଯାହା ପରେ ସରକାର ଏ ନିଷ୍ପତ୍ତି ନେଇଛନ୍ତି।

ଗତ ସେପ୍ଟେମ୍ବର ୪ ତାରିଖରୁ ଫେସବୁକ, ୱାଟ୍ସଆପ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ୍ ସହିତ ୨୬ଟି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ସରକାର ବ୍ୟାନ୍ ଲଗାଇଥିଲେ। ଏହାର ସମ୍ପୂର୍ଣ୍ଣ ପ୍ରଭାବ ୯୦ ପ୍ରତିଶତ ଜନସଂଖ୍ୟା ଉପରେ ପଡ଼ିଥିଲା। ବିଶେଷକରି ଜେନ-ଜିମାନେ ବେଶୀ ପ୍ରଭାବିତ ହୋଇଥିଲେ।

ସୋମବାର କାଠମାଣ୍ଡୁରେ ସ୍କୁଲ୍ ବା କଲେଜ୍ ୟୁନିଫର୍ମ୍ ପିନ୍ଧା ଛାତ୍ରଛାତ୍ରୀଙ୍କ ସହ ଯୁବବର୍ଗ ମାନେ ସଂସଦ ଭବନ ସମ୍ମୁଖରେ ଏକତ୍ରିତ ହୋଇ ଆନ୍ଦୋଳନ କରିଥିଲେ। ପ୍ରତିବାଦକାରୀମାନେ ସୋମବାର ସଂସଦ ଭବନରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ଯାହା ପୋଲିସ ଦ୍ୱାରା ରବର୍ ବୁଲେଟ୍ ସହ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା।

ଏହି ହିଂସାରେ ୧୯ ଜଣଙ୍କର ମୃତ୍ୟୁ ଓ ୩୦୦ରୁ ଅଧିକ ଆହତ ହୋଇଥିଲେ। କାଠମାଣ୍ଡୁର ନ୍ୟାସନାଲ୍ ଟ୍ରମା ସେଣ୍ଟରରେ ୮ ଜଣ, ଏଭରେଷ୍ଟ୍ ହସ୍ପିଟାଲ୍‌ରେ ୩ ଜଣ ଓ ଅନ୍ୟାନ୍ୟ ହସ୍ପିଟାଲ୍‌ରେ ଅନ୍ୟ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ପୋଖରା, ବୁଟବାଲ୍, ଇଟାହାରୀ ସହିତ ଅନ୍ୟ ସହରରେ ମଧ୍ୟ ପ୍ରତିବାଦ ହୋଇଥିଲା। କାଠମାଣ୍ଡୁ, ପୋଖରା, ବୁଟବାଲ୍ ସହିତ ଅନ୍୯ ସହରରେ କର୍ଫ୍ୟୁ ଲଗାଇଥିଲେ ସରକାର।

ଏହା ସତ୍ତ୍ୱେ, ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସରକାର ସୋମବାର ରାତିରେ ଜରୁରୀ କ୍ୟାବିନେଟ୍ ବୈଠକରେ ସୋସିଆଲ୍ ମିଡିଆ ବ୍ୟାନ୍ ହଟାଇବାର ନିଷ୍ପତ୍ତି ନେଇଥିଲେ। ସଂଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପ୍ରିଥ୍ୱୀ ସୁବ୍ବା ଗୁରୁଙ୍ଗ କହିଛନ୍ତି, “ଜେନ୍ ଜିମାନେ ସମ୍ମୁଖୀନ ହେଉଥିବା ଅସୁବିଧା ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ ହଟାଇ ଦିଆଯାଇଛି।”

ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି, “ଆମେ ଏହି ଦୁଃଖଦ ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରୁଛୁ। ଆହତଙ୍କୁ ନିଃଶୁଳ୍କ ଚିକିତ୍ସା ଓ ମୃତକଙ୍କ ପରିବାରଙ୍କୁ ସହାୟତା ପ୍ରଦାନ କରାଯିବ।” ସରକାର ଏହା ସହିତ ୧୫ ଦିନ ଭିତରେ ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି।