କାଠମାଣ୍ଡୁ, ୯/୯: ନେପାଳରେ ସୋସିଆଲ ମିଡିଆ ବ୍ୟାନ ବିରୋଧୀ ପ୍ରତିବାଦରେ ୧୯ ଜଣଙ୍କର ମୃତ୍ୟୁ ଓ ୩୦୦ରୁ ଅଧିକ ବ୍ୟକ୍ତିଙ୍କର ଆହତ ହେବା ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ (MEA) ନେପାଳରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ଏହା ସହିତ ଭାରତ ନେପାଳରେ ଚାଲୁଥିବା ପ୍ରତିବାଦ କାର୍ଯ୍ୟରେ ସମସ୍ତ ପକ୍ଷଙ୍କୁ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛି।
ନେପାଳରେ ସରକାରଙ୍କ ଦ୍ୱାରା ୨୬ଟି ସାମାଜିକ ମିଡିଆ ପ୍ଲାଟଫର୍ମ, ଯଥା ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ ଓ ୟୁଟ୍ୟୁବ୍ ବ୍ୟାନ କରାଯାଇଥିବାରୁ ଯୁବକମାନେ ଭ୍ରଷ୍ଟାଚାର ଓ ସରକାରୀ ନୀତି ବିରୋଧରେ ଆନ୍ଦୋଳନ କରିଥିଲେ।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, “ନେପାଳରେ ସୋମବାର ଘଟିଥିବା ଘଟଣା ପାଇଁ ଆମେ ଅତ୍ୟନ୍ତ ଦୁଃଖିତ। ମୃତ ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ। ଆହତଙ୍କ ଶୀଘ୍ର ସୁସ୍ଥ ହେବାକୁ ଆମର ଶୁଭେଚ୍ଛା।” ଏହା ସହିତ ଭାରତୀୟ ନାଗରିକଙ୍କୁ ନେପାଳୀ ଅଧିକାରୀଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନା ପାଳନ କରିବା ଓ ସତର୍କ ରହିବାକୁ କୁହାଯାଇଛି।
ଭାରତ-ନେପାଳ ସୀମାନ୍ତରେ ମଧ୍ୟ ସତର୍କତା ବଢ଼ାଯାଇଛି। ସଶସ୍ତ୍ର ସୀମା ବାହିନୀ (SSB) ସୀମାନ୍ତରେ ନଜର ରଖିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି।