ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି
ସୁଶୀଳାଙ୍କ ନେତୃତ୍ୱରେ ଗଠନ ହେଲା ଅନ୍ତରୀଣ ସରକାର
ଆସନ୍ତାବର୍ଷ ସାଧାରଣ ନିର୍ବାଚନ
କାଠମାଣ୍ଡୁ, ୧୩/୯: ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶୁକ୍ରବାର ରାତିରେ ଶପଥ ନେବା ପରେ ଆନୁଷ୍ଠାନିକ ଭାବରେ ସେ ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ସରକାର ବିରୁଦ୍ଧରେ ବ୍ୟାପକ ଦୁର୍ନୀତି ବିରୋଧୀ ପ୍ରତିବାଦ ପରେ ଇସ୍ତଫା ଦେବାର ଚାରି ଦିନ ପରେ ସେ ନେପାଳର ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଛନ୍ତି ସୁଶୀଳା କାର୍କି। ସେ ନେପାଳର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିବା ପ୍ରଥମ ମହିଳା।
ନେପାଳର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ, ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ ୯ଟା ୩୦ ରେ କାର୍କିଙ୍କୁ ତାଙ୍କ ବାସଭବନରେ ଶପଥ ପାଠ କରାଇଥିଲେ। ସେ ନେପାଳ ସମ୍ବିଧାନର ଧାରା ୮୦ ଅନୁଯାୟୀ ଶପଥ ଗ୍ରହଣ କରିଥିଲେ।
ଶପଥ ଗ୍ରହଣ ପରେ, କାର୍କି ତାଙ୍କ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ କରିଥିଲେ। ଏହି ବୈଠକରେ ୫ ମାର୍ଚ୍ଚ, ୨୦୨୬ ରେ ନୂତନ ସାଧାରଣ ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଥିଲେ। ସଂସଦ ଭଙ୍ଗ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆଗାମୀ ଛଅ ମାସ ମଧ୍ୟରେ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।
ତେବେ ଦେଶର ବର୍ତ୍ତମାନର ପରିସ୍ଥିତିକୁ ବିଚାର କରି କାର୍କି ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ମଧ୍ୟ ସୁପାରିଶ କରିପାରନ୍ତି। ଯଦି ରାଷ୍ଟ୍ରପତି ତାହା ଅନୁମୋଦନ କରନ୍ତି, ତାହାଲେ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇପାରେ।
ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ କରାଯାଉଥିଲା। ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ଶୀର୍ଷ ନେତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।
ସୋସିଆଲ ମିଡିଆ ଉପରେ ରୋକ ଲଗାଇ ଆରମ୍ଭ ହୋଇଥିବା ପ୍ରତିବାଦଗୁଡ଼ିକ ଦୁର୍ନୀତି ବିରୋଧୀ ପ୍ରତିବାଦରେ ପରିଣତ ହୋଇଥିଲା। ନେପାଳୀ ଜେନ-ଜିଙ୍କ ନେତୃତ୍ୱରେ ହୋଇଥିବା ଏହି ଦୁର୍ନୀତି ବିରୋଧୀ ପ୍ରତିବାଦରେ ୫୧ ଜଣଙ୍କର ମୃତ୍ୟୁ ହେବା ସହ ଶହ ଶହ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ କିଛି ଭାରତୀୟ ମଧ୍ୟ ଅଛନ୍ତି।