ଆଜିର ତାରିଖ ୨୧ ସେପ୍ଟେମ୍ବର ୨୦୨୫
୧. ବିଶ୍ୱ ଆଲଜାଇମର୍ ଦିବସ:- ବିଶ୍ୱ ଆଲଜାଇମର୍ ଦିବସ (World Alzheimer’s Day) ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖରେ ପାଳନ କରାଯାଏ। ଏହି ଦିବସଟି ଆଲଜାଇମର୍ସ୍ ରୋଗ (Alzheimer’s Disease) ଏବଂ ଡିମେନ୍ସିଆ (Dementia) ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହି ଦିବସଟି ୧୯୯୪ ମସିହାରେ ଆଲଜାଇମର୍ସ୍ ଡିଜିଜ୍ ଇଣ୍ଟର୍ନ୍ୟାସନାଲ୍ (ADI) ଦ୍ୱାରା ଆରମ୍ଭ କରାଯାଇଥିଲା। ଆଲଜାଇମର୍ସ୍ ଏକ ମସ୍ତିଷ୍କ ରୋଗ। ଯାହା ହେଲେ ମୁଖ୍ୟତଃ ସ୍ମୃତି ଶକ୍ତି ହ୍ରାସ ହୋଇଥାଏ। ଭାରତରେ ପ୍ରାୟ ୪୦ ଲକ୍ଷ ଲୋକ ଆଲଜାଇମର୍ସ୍ ଓ ଡିମେନ୍ସିଆରେ ଆକ୍ରାନ୍ତ।
୨. ଅନ୍ତର୍ଜାତୀୟ ଶାନ୍ତି ଦିବସ:- ଅନ୍ତର୍ଜାତୀୟ ଶାନ୍ତି ଦିବସ, ଯାହାକୁ “ବିଶ୍ୱ ଶାନ୍ତି ଦିବସ” ମଧ୍ୟ କୁହାଯାଏ, ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖରେ ପାଳନ କରାଯାଏ। ଏହି ଦିବସଟି ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ୧୯୮୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱବ୍ୟାପୀ ଶାନ୍ତି ଓ ଅହିଂସାକୁ ପ୍ରୋତ୍ସାହନ ଦେବା। ୨୦୦୧ ମସିହାରେ ଜାତିସଂଘ ଏହାକୁ ସେପ୍ଟେମ୍ବର ୨୧ରେ ପାଳନ କରିବାକୁ ନିର୍ଦ୍ଦିଷ୍ଟ କରିଥିଲା।
ଏହି ଦିବସରେ ବିଶ୍ୱବ୍ୟାପୀ ଯୁଦ୍ଧବିରାମ ଏବଂ ଅହିଂସାର ବାର୍ତ୍ତା ପ୍ରଚାର କରାଯାଏ। ବିଭିନ୍ନ ଦେଶ, ସଂଗଠନ ଏବଂ ସମୁଦାୟ ଏହି ଅବସରରେ ଶାନ୍ତି ପାଇଁ ସଚେତନତା ସୃଷ୍ଟି କରିବା ନିମନ୍ତେ କାର୍ଯ୍ୟକ୍ରମ, ସମାବେଶ, ଏବଂ ଶିକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ୨୦୨୫ ମସିହାରେ ଏହି ଦିବସର ଥିମ୍ ହେଉଛି “Cultivating a Culture of Peace” (ଶାନ୍ତିର ସଂସ୍କୃତି ଗଢ଼ିବା), ଯାହା ସ୍ଥାୟୀ ଶାନ୍ତି ପାଇଁ ସମନ୍ୱୟ ଓ ସହଯୋଗକୁ ଗୁରୁତ୍ୱ ଦେଇଥାଏ।
ଭାରତରେ, ଏହି ଦିବସ ଗାନ୍ଧୀଜୀଙ୍କ ଅହିଂସା ଓ ଶାନ୍ତିର ଆଦର୍ଶକୁ ପ୍ରତିଫଳିତ କରେ। ବିଭିନ୍ନ ସ୍ଥାନରେ ଶାନ୍ତି ପଦଯାତ୍ରା, ଧ୍ୟାନ, ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୁଏ। ଏହା ବିଶ୍ୱ ସମୁଦାୟକୁ ଏକଜୁଟ ହେବା ଏବଂ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ଗଢ଼ିବା ପାଇଁ ଏକ ସୁଯୋଗ ପ୍ରଦାନ କରେ।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. କରୀନା କପୁର୍ ଖାନ୍ ହେଉଛନ୍ତି ଭାରତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ, ଯାହାଙ୍କୁ ବଲିଉଡର ‘ବେବୋ’ ନାମରେ ଜଣାଶୁଣା। ସେ ୧୯୮୦ ମସିହା ୨୧ ତାରିଖରେ ମୁମ୍ବାଇରେ ଅଭିନେତା ରଣଧୀର କପୁର୍ ଏବଂ ଅଭିନେତ୍ରୀ ବବିତାଙ୍କଠାରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜେଜେ ରାଜକପୁର୍ ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ତେଣୁ ସେ କପୁର୍ ପରିବାରର ଚତୁର୍ଥ ପିଢ଼ିର ଅଭିନେତ୍ରୀ। ଅଭିନୟ କ୍ଷେତ୍ରରେ ସେ ୨୦୦୦ ମସିହାରେ “ରେଫ୍ୟୁଜି” ଚଳଚ୍ଚିତ୍ରରୁ ଡେବ୍ୟୁ କରିଥିଲେ। ଯେଉଁଥିରୁ ସେ ଫିଲ୍ମଫେୟାର୍ ବେଷ୍ଟ ଫିମେଲ୍ ଡେବ୍ୟୁ ପୁରସ୍କାର ପାଇଥିଲେ। ୨୦୧୨ ମସିହା ୧୬ ଅକ୍ଟୋବରରେ ସେ ଅଭିନେତା ସୈଫ୍ ଆଲୀ ଖାନଙ୍କୁ ବିବାହ କରିଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୮୫୭ – ବ୍ରିଟିଶ ସେନାର ମେଜର ହଡସନ ଶେଷ ମୋଗଲ ସମ୍ରାଟ ବାହାଦୁର ଶାହ ଜାଫରଙ୍କୁ ହୁମାୟୁନଙ୍କ ସମାଧିସ୍ଥଳରେ ହେପାଜତକୁ ନେଇଗଲେ, ଯାହା ମୋଗଲ ରାଜବଂଶର ଅନ୍ତ ଏବଂ ଭାରତୀୟ ବିଦ୍ରୋହର ଆରମ୍ଭ ହେଲା।
୧୯୪୮ – ରଏଟର୍ସ ଏବଂ ଭାରତୀୟ ଓ ପୂର୍ବ ନ୍ୟୁଜପେପର୍ ସୋସାଇଟି ମଧ୍ୟରେ ଏକ ଚୁକ୍ତିନାମା ଅନୁଯାୟୀ, ଭାରତୀୟ ସାମ୍ବାଦିକତା ପାଇଁ ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ପିଟିଆଇ) ଗଠନ ଘୋଷଣା କରାଯାଇଥିଲା।
୧୯୬୫ -ଗାମ୍ବିଆ, ମାଳଦ୍ୱୀପ ଏବଂ ସିଙ୍ଗାପୁର ରାଷ୍ଟ୍ରଗୁଡ଼ିକ ଆନୁଷ୍ଠାନିକ ଭାବରେ ଜାତିସଂଘରେ ଯୋଗ ଦେଇଥିଲେ।