କୋଲକାତା, ୨୩/୯: ସୋମବାର ରାତିସାରା ପ୍ରବଳ ବର୍ଷା ଯୋଗୁଁ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି। ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଳୋକେ। ଅନେକ ସ୍ଥାନରେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣିର ଲହରୀ ଉଠିବା ସହ ଯାତାୟାତ ଠପ୍ ହୋଇଯାଇଛି।
ଦୁର୍ଗାପୂଜା ପାଳନର କିଛି ଦିନ ପୂର୍ବରୁ ଏପରି ବର୍ଷା ହେବା ବେଳେ ଏହା ମଧ୍ୟରେ ଆଠ ଜଣ ଲୋକ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ସହରର ଅନେକ ଅଞ୍ଚଳ ବୁଡ଼ି ରହିଛି, ରାସ୍ତାଗୁଡ଼ିକ ପାଣିରେ ବୁଡ଼ିଯିବା ସହିତ ଅନେକ ଘର ଏବଂ ଆବାସିକ କମ୍ପ୍ଲେକ୍ସରେ ପାଣି ପଶିଛି।
ରାସ୍ତାରେ ପାଣି ଜମି ରହିଥିବା ଯୋଗୁଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ୩୦ଟି ବିମାନ ଉଡାଣ ବାତିଲ ହୋଇଥିବା ବେଳେ ୪୨ ବିମାନ ଉଡାଣ ବିଳମ୍ବ ହୋଇଛି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ ବାଦଲ ଫଟା ବର୍ଷା ପରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ଲୋକଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।
ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଅନୁଯାୟୀ, ଆଲିପୁରରେ ମଙ୍ଗଳବାର ସକାଳ ୫ଟା ୩୦ ସୁଦ୍ଧା ୨୩୯ ମିମି ବର୍ଷା ରେକର୍ଡ କରାଯାଇଛି। ସେପ୍ଟେମ୍ବର ୨୨ ସକାଳ ୬ଟା ୩୦ ରୁ ସେପ୍ଟେମ୍ବର ୨୩ ସକାଳ ୬ଟା ୩୦ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪୭.୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
ବନ୍ୟା ଯୋଗୁଁ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ହାଓଡା ଷ୍ଟେସନ, ସିଆଲଦା ଦକ୍ଷିଣ ଷ୍ଟେସନ, ଚିତପୁର ଉତ୍ତର କ୍ୟାବିନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।
ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସହରରେ ଲଗାତାର ବର୍ଷାର ଜୋର ପ୍ରଭାବ ପଡିଛି। ପାଣି ଜମି ରହିବା ଯୋଗୁଁ ପେଣ୍ଡାଲ ତିଆରି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।