SI ଚାକିରି ଜାଲିଆତିରେ ସମ୍ପୃକ୍ତ SSB ଯବାନ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ଦାୟିତ୍ୱରେ ଥିଲେ

ଭୁବନେଶ୍ଵର, ୫/୧୦: କୋଟି କୋଟି ଟଙ୍କାର ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (SI) ନିଯୁକ୍ତି ଦୁର୍ନୀତି ଘଟଣାରେ ଧୀରେ ଧୀରେ ସବୁ ପର୍ଦ୍ଦାଫାଶ ହେଉଛି। କ୍ରାଇମବ୍ରାଞ୍ଚ ଶନିବାର ଦିନ ଏହି ମାମଲାରେ କଟକ ବାରଙ୍ଗ ବିଦ୍ୟାଧରପୁରର ବିଶ୍ବରଞ୍ଜନ ବେହେରା ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

ତଦନ୍ତ ବେଳେ ଜଣାପଡିଛି ଯେ, ବିଶ୍ବରଞ୍ଜନ ବେହେରା ହେଉଛନ୍ତି ଜଣେ ଏସଏସବି ଜବାନ। ସେ ସ୍ପେଶାଲ୍ ସିକ୍ୟୁରିଟି ବାଟାଲିୟନର ୨୦୧୮ ବ୍ୟାଚ୍ କନଷ୍ଟେବଳ। ଗିରଫ ହେବା ସମୟରେ ସେ ଭୁବନେଶ୍ୱରର ଲୋକସେବା ଭବନରେ ନିୟୋଜିତ ଥିଲେ। ସରକାରୀ ସୂତ୍ର ଅନୁଯାୟୀ ତାଙ୍କୁ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ଦାୟିତ୍ୱରେ ମଧ୍ୟ ନିୟୋଜିତ କରାଯାଇଥିଲା।

ବିଶ୍ୱରଞ୍ଜନଙ୍କ ଗିରଫଦାରୀ ପରେ, କ୍ରାଇମବ୍ରାଞ୍ଚ ତଦନ୍ତରେ ନୂଆ ସୁରାକ ମିଳିଛି। କ୍ରାଇମବ୍ରାଞ୍ଚ ସୂତ୍ର ଅନୁସାରେ ବିଶ୍ୱରଞ୍ଜନ ଅଭିଯୁକ୍ତ ମଧ୍ୟସ୍ଥି ମୁନା ମହାନ୍ତିଙ୍କ ଜଣେ ଘନିଷ୍ଠ ସହଯୋଗୀ। ତାଙ୍କ ପାଖରୁ ଅନେକ ଡିଜିଟାଲ୍ ପ୍ରମାଣ ଜବତ ହୋଇଛି ଏବଂ ଆର୍ଥିକ ନେଣଦେଣ ନେଇ ତଦନ୍ତ ଚାଲିଛି।

ବିଶ୍ୱରଞ୍ଜନ ଆଶାୟୀ ପ୍ରାର୍ଥୀମାନଙ୍କୁ ପ୍ରଶ୍ନପତ୍ର ଯୋଗାଇଦେବା ପାଇଁ କହି ସେମାନଙ୍କଠାରୁ ଓରିଜିନାଲ ସାର୍ଟିଫିକେଟ ନେଇଥିଲେ।

ସୂଚନାଯୋଗ୍ୟ, ଏସଆଇ ପରୀକ୍ଷା ପାଇଁ ସ୍ୱତନ୍ତ୍ର କୋଚିଂ ଦେବା ପାଇଁ ଆନ୍ଧ୍ରପ୍ରଦେଶର ବିଜୟନଗରମକୁ ଏକ ବସ୍ ଯୋଗେ ଯାଉଥିବା ବେଳେ ବ୍ରହ୍ମପୁର ପୋଲିସର ଏକ ଟିମ୍ ପରୀକ୍ଷାର୍ଥୀଙ୍କୁ ଅଟକାଇବା ପରେ ଏହି ଠକେଇର ପର୍ଦ୍ଦାଫାସ ହୋଇଥିଲା। ପୋଲିସ ଏକ ସୂତ୍ରରୁ ସୂଚନା ପାଇ ଅକ୍ଟୋବର ୧ ତାରିଖରେ ଶ୍ରୀକାକୁଲମରେ ଧରିଥିଲା ପୋଲିସ। ଏହି ଘଟଣାରେ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସହ ୩ ଜଣ ଦଲାଲ ଗିରଫ ହୋଇଛନ୍ତି। ଆହୁରି ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି।