ମାସୁଦ ଅଜହରର ଆତଙ୍କୀ ସଙ୍ଗଠନ ଜୈସ-ଏ-ମହମ୍ମଦରେ ମିଶିବେ ମହିଳା

ଭାରତରେ ସକ୍ରିୟ ‘ଜମାତ ଅଲ-ମୁମିନାତ’, ମହିଳାଙ୍କୁ କରୁଛନ୍ତି ଢାଲ: ଗୁଇନ୍ଦା ସୂତ୍ରରୁ ପ୍ରକାଶ

ନୂଆଦିଲ୍ଲୀ, ୯/୧୦: ଭାରତର ଅପରେସନ ସିନ୍ଦୂର ପରେ ଘାଇଲା ହୋଇଯାଇଛି ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀଙ୍କ ସଙ୍ଗଠନ। ଏହାର ଜବାବ ଦେବାକୁ ପୂର୍ଣ୍ଣ ପ୍ରସ୍ତୁତ ହେଉଛି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)। ଏହା ଏବେ ନୂତନ ରଣନୀତି ଆପଣାଉଥିବା ଜଣାପଡ଼ିଛି। ଏହି ସଂଗଠନ ‘ଜମାତ ଅଲ-ମୁମିନାତ’ ନାମକ ଏକ ସ୍ୱତନ୍ତ୍ର ମହିଳା ବ୍ରିଗେଡ ଗଠନ କରିଛି।

ସୂତ୍ର ଅନୁଯାୟୀ, ଏହି ଗୋଷ୍ଠୀ ୨୦୨୪ ମସିହାରୁ ସକ୍ରିୟ ଅଛି ଏବଂ ମହିଳାମାନଙ୍କୁ ବ୍ରେନ୍ ୱାଶ୍ କରି ନିଜ ନେଟୱାର୍କରେ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛି। ଏହି ବ୍ରିଗେଡ୍ ଜୈଶର ମହିଳା ଶାଖା ଭାବରେ ସୃଷ୍ଟି କରାଯାଇଛି।

‘ଜମାତ ଅଲ-ମୁମିନାତ’ ଜମ୍ମୁ ଏବଂ କାଶ୍ମୀର, ଉତ୍ତର ପ୍ରଦେଶ ଏବଂ ଦକ୍ଷିଣ ଭାରତର କିଛି ଅଂଶରେ ଅନଲାଇନରେ ସକ୍ରିୟ ଥିବା ଜଣାପଡ଼ିଛି।

ଏହି ଗୋଷ୍ଠୀ ସୋସିଆଲ ମିଡିଆ, ହ୍ୱାଟସଆପ୍ ଗ୍ରୁପ୍ ଏବଂ କିଛି ମଦ୍ରାସା ନେଟୱାର୍କ ମାଧ୍ୟମରେ ଏହାର କାର୍ଯ୍ୟକଳାପ ପ୍ରସାର କରୁଛି। ଏହାର ଲକ୍ଷ୍ୟ ହେଉଛି ଧର୍ମ ନାମରେ ହିନ୍ଦୁ ମହିଳାମାନଙ୍କୁ ଭ୍ରମିତ କରିବା ଏବଂ ସଂଗଠନର ଉଦ୍ଦେଶ୍ୟ ପାଇଁ ସେମାନଙ୍କୁ ଶୋଷଣ କରିବା।

ଗୁଇନ୍ଦା ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି ଯେ, ଜୈଶର ନୂଆ ସର୍କୁଲାରରେ ମକ୍କା ଏବଂ ମଦିନାର ଚିତ୍ର ରହିଛି ଯାହା ଧାର୍ମିକ ଭାବନା ପ୍ରତି ଆକର୍ଷିତ ହେବେ ମହିଳା। ଏଥିରେ ଶିକ୍ଷିତ ଏବଂ ସହରାଞ୍ଚଳ ମୁସଲିମ ମହିଳାଙ୍କୁ ପ୍ରଭାବିତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଭାବପ୍ରବଣ ବିଷୟବସ୍ତୁ ମଧ୍ୟ ଅନ୍ତର୍ଭୁକ୍ତ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ‘ଜମାତ ଅଲ-ମୁମିନାତ’ ଜୈଶ ପରି ଏକ କୋଷ-ଆଧାରିତ ଗଠନରେ କାର୍ଯ୍ୟ କରେ, ଯେଉଁଥିରେ ଛୋଟ ଗୋଷ୍ଠୀ ନିଯୁକ୍ତି, ପାଣ୍ଠି ସଂଗ୍ରହ ଏବଂ ସାମାଜିକ ଗଣମାଧ୍ୟମ ଏବଂ ମାଦ୍ରାସା ମାଧ୍ୟମରେ ବାର୍ତ୍ତା ପ୍ରସାର ପରିଚାଳନା କରନ୍ତି।

ମେ ୨୦୨୫ ରେ, ଅପରେସନ ସିନ୍ଦୂର ସମୟରେ, ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (PoK) ରେ ଅନେକ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା, ଯେଉଁଥିରେ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ଏହି ଅପରେସନରେ ମାସୁଦ ଅଜହରର ଭାଇ ଏବଂ ପରିବାରର ଅନେକ ସଦସ୍ୟ ନିହତ ହୋଇଥିଲେ। ଏବେ ହତାଶରେ ଜୈଶ ଭାରତ ବିରୁଦ୍ଧରେ ନୂଆ ଷଡ଼ଯନ୍ତ୍ର ରଚନା କରୁଛି, ମହିଳାଙ୍କୁ ଢାଲ ଭାବରେ ବ୍ୟବହାର କରୁଛି।

ଏହା ସ୍ପଷ୍ଟ ଯେ ଭାରତର ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଅପରେସନ୍ ଦ୍ୱାରା ଥରି ଉଠିଥିବା ଆତଙ୍କବାଦୀ ଗୋଷ୍ଠୀ ତାର ରଣନୀତି ପରିବର୍ତ୍ତନ କରୁଛି। କିନ୍ତୁ ଭାରତର ଗୁଇନ୍ଦା ଏଜେନ୍ସିଗୁଡ଼ିକ ସତର୍କ ରହିଛନ୍ତି।