ଭୁବନେଶ୍ଵର, ୧୩/୧୦: ରାଜଧାନୀରେ ଫୁଟିଲା ଗୁଳି। ଭୁବନେଶ୍ଵର ଏମ୍ସରେ କାର୍ଯ୍ୟରତ ଜଣେ ଆଉଟସୋର୍ସିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମିଳିଥିବା ସୂଚନା ଅନୁସାରେ, AIIMS ନିକଟସ୍ଥ ରଣସିଂହପୁରରେ ରୁହନ୍ତି AIIMS ହସ୍ପିଟାଲରେ କାର୍ଯ୍ୟରତ ଲ୍ୟାବ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆ। ଆଜି ସକାଳେ ଡ୍ୟୁଟିକୁ ଆସିବା ବେଳେ ତାଙର୍କ ଉପରକୁ ଗୁଳିମାଡ ହୋଇଥିଲା। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ, ଜମିଜମା ସଂପର୍କିତ ମାମଲାରେ ତାଙ୍କ ଉପରକୁ ଗୁଳି ମାଡ ହୋଇଥିବା ଅନୁମାନ କରାଯାଉଛି। ସେପଟେ ସୁଧାଂଶୁଙ୍କ ଦାଦା ଜ୍ଞାନ ରଞ୍ଜନ ଖୁଣ୍ଟିଆଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏ ନେଇ ଆକ୍ରମଣ ଅଭିଯୋଗରେ ସୁଧାଂଶୁଙ୍କ ସମ୍ପର୍କୀୟ ଦାଦା ସୁକାନ୍ତ ପ୍ରଧାନ ଓ ତାଙ୍କ ପୁଅ ଛବି ପ୍ରଧାନଙ୍କୁ ଅଟକ ରଖାଯାଇଛି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।