ତେଲ ଆଭିଭ, ୧୩/୧୦: ଦୁଇ ବର୍ଷ ଧରି ଚାଲିଥିବା ଇସ୍ରାଏଲ ଓ ହମାସ ଯୁଦ୍ଧ ବିରତିର ପ୍ରଥମ ପର୍ଯ୍ୟାୟରେ ବନ୍ଧକଙ୍କୁ ମୁକ୍ତ କରାଯାଇଛି। ଆଜି ପ୍ରଥମ ଦିନରେ ୭ ଜଣ ଜୀବିତ ବନ୍ଧକଙ୍କୁ ମୁକ୍ତ କରାଯାଇଥିବା ବେଳେ ବାକି ଜୀବିତ ବନ୍ଧକଙ୍କୁ ମୁକ୍ତ କରିଛି ହମାସ।
ଇସ୍ରାଏଲ ୧୯୦୦ରୁ ଅଧିକ ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିବ। ଏହା ବଦଳରେ ହମାସ ୨୦ ଇସ୍ରାଏଲୀ ବନ୍ଦୀଙ୍କୁ ମୁକ୍ତ କରିବ।
ହମାସ ଦ୍ୱାରା ପଣବନ୍ଦୀ ଥିବା ଏଇଟାନ୍ ମୋର, ଗାଲି ଏବଂ ଜିଭ୍ ବର୍ମାନ, ମାଟାନ୍ ଆଙ୍ଗ୍ରିଷ୍ଟ୍, ଓମ୍ରି ମିରାନ୍, ଗାଏ ଗିଲବୋଆ ଦଲାଲ୍ ଏବଂ ଆଲୋନ୍ ଆହେଲ୍ ପ୍ରଥମେ ମୁକ୍ତ କରାଯାଇଛି। ଏହି ପ୍ରଥମ ପର୍ଯ୍ୟାୟରେ ଆହୁରି ୧୩ ଜଣ ଇସ୍ରାଏଲୀ ବନ୍ଧକ ଫେରିବାକୁ ଯାଉଛନ୍ତି, ଯେଉଁଥିରେ ଏଭିଆଟର ଡେଭିଡ, ଆଲୋନ ଓହେଲ, ଅଭିନାତାନ ଓର, ଏରିଏଲ୍ କୁନିଓ, ଡେଭିଡ୍ କୁନିଓ, ନିମରୋଡ୍ କୋହେନ, ବାର କୁପରଷ୍ଟାଇନ, ଯୋସେଫ୍ ଚାଇମ୍ ଓହାନା, ସେଗେଭ କାଲଫନ୍, ଏଲକାନା ବୋହବୋଟ୍, ମ୍ୟାକ୍ସିମ୍ ହର୍କିନ୍, ଏଇଟାନ୍ ହର୍ନ ଏବଂ ରୋମ୍ ବ୍ରାସ୍ଲାଭସ୍କି ରହିଛନ୍ତି।
ମୁକ୍ତ ହେବା ବେଳେ ରେଡ଼କ୍ରସ ନିକଟରେ ଖୁସିର ଝଲକ ଦେଖିବାକୁ ମିଳିଥିଲା। ଏଥି ସହ ଏହି ମୁକ୍ତ ହେବା ସମୟର ସିଧା ପ୍ରସାରଣ କରାଯାଇଥିଲା। ଯାହାକୁ ତେଲ ଆଭିଭରେ ବଡ଼ ବଡ଼ ସ୍କ୍ରିନରେ ଏହା ପ୍ରଦର୍ଶିତ ହେଉଥିଲା। ଯାହାକୁ ଦେଖି ଲୋକେ ଖୁସିରେ ଉତ୍ସବ ମନାଉଥିଲେ। ବନ୍ଦୀମାନେ ଇସ୍ରାଏଲର ସାମରିକ ଘାଟି ପାର କରିବା ପରେ ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ତାଙ୍କ ପତ୍ନୀ ମୁକ୍ତ ବନ୍ଦୀଙ୍କୁ ସ୍ୱାଗତ କରିବା ପାଇଁ ହାତ ଲେଖା ନୋଟ୍ ଏବଂ ଉପହାର ପ୍ରସ୍ତୁତ କରିଛନ୍ତି। ନୋଟରେ ଲେଖା ଅଛି: “ସମସ୍ତ ଇସ୍ରାଏଲବାସୀଙ୍କ ତରଫରୁ, ସ୍ୱାଗତ! ଆମେ ତୁମକୁ ଅପେକ୍ଷା କରିଥିଲୁ।”

ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ପ୍ରତ୍ୟେକ ଫେରି ଆସୁଥିବା ବନ୍ଧକଙ୍କୁ ଏକ ବ୍ୟକ୍ତିଗତ ସ୍ୱାଗତ କିଟ୍ ଦିଆଯିବ। ସେଥିରେ ପୋଷାକ, ବ୍ୟକ୍ତିଗତ ଉପକରଣ, ଗୋଟିଏ ଲାପଟପ୍, ଗୋଟିଏ ଫୋନ୍ ଏବଂ ଗୋଟିଏ ଟାବଲେଟ୍ ରହିବ।