ଭୁବନେଶ୍ଵର, ୧୫/୧୦: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡ଼ି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ସ୍ନେହାଙ୍ଗିନୀ ବିଜେଡ଼ି ସରକାରରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଥିଲେ।
ନବୀନ ସ୍ନେହାଙ୍ଗିନୀଙ୍କ ନାଁ ଘୋଷଣା କରି କହିଛନ୍ତି, “ପଶ୍ଚିମ ଓଡ଼ିଶାର ଜଣେ ଦକ୍ଷ ମହିଳା ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ାରେ ହେବାକୁ ଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ। ସେ ଅତୀତରେ ଅନେକ ଥର ଓଡ଼ିଶାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ମନ୍ତ୍ରୀ ଥିବା ସମୟରେ ସେ ରାଜ୍ୟବାସୀଙ୍କ ପାଇଁ ଅନେକ ଭଲ କାମ କରିଛନ୍ତି,” ବୋଲି ନବୀନ କହିଛନ୍ତି। ଏଥିସହ ନୂଆପଡ଼ା ଯାଇ ସେଠାରେ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବେ ବୋଲି ମଧ୍ୟ କହିଛନ୍ତି।
ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, “ବିଜୁ ଜନତା ଦଳ ତରଫରୁ ଦଳୀୟ ସଭାପତି ନବୀନ ପଟ୍ଟନାୟକ ମୋତେ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ତାଙ୍କୁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି। ମୋ ଉପରେ ସେ ଭରସା କରିଛନ୍ତି। ଦଳ ପାଇଁ, ନୂଆପଡ଼ା ପାଇଁ ଓ ରାଜ୍ୟବାସୀଙ୍କ ପାଇଁ କାମ କରିଛି। ନୂଆପଡ଼ାରେ ପର୍ଯ୍ୟବେକ୍ଷକ ଭାବେ ୪ ବର୍ଷ କାମ କରିଛି। ଏହି ନିର୍ବାଚନ ପାଇଁ ନୂଆପଡ଼ାବାସୀଙ୍କ ଆଶୀର୍ବାଦ ମାଗୁଛି। ସେମାନେ ମୋତେ ବିଜୟୀ କରିବେ ବୋଲି ଆଶା କରୁଛି। ନୂଆପଡ଼ାର ପ୍ରତ୍ୟେକ ସୁଖ ଓ ଦୁଃଖ ସମୟରେ ତାଙ୍କର ସହିତ ରହିବି। ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ନୂଆପଡ଼ାବାସୀଙ୍କର ସେବା କରିବି।”