ପାକିସ୍ତାନର ଏୟାର ଷ୍ଟ୍ରାଇକ୍

୩ କ୍ରିକେଟରଙ୍କ ସମେତ ଏକାଧିକ ମୃତ

କାବୁଲ, ୧୮/୧୦: ପାକିସ୍ତାନ ଓ ଆଫଗାନିସ୍ତାନ ଉଭୟ ପଡ଼ୋଶୀ ଦେଶ ମଧ୍ୟରେ ସ୍ଥିତି ଗମ୍ଭୀର ରହିଛି। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଗତ କିଛି ଦିନ ଧରି ଉତ୍ତେଜନା ଲାଗି ରହିଛି। ଏଥିରେ ଆଫଗାନିସ୍ତାନର ବହୁ କ୍ଷୟକ୍ଷତି ହୋଇଛି। ତେବେ ଉତ୍ତେଜନା ପରେ ଉଭୟ ଦେଶ ଅସ୍ତ୍ରବିରତି ପାଇଁ ସହମତ ହେବା ପରେ ବି ଆଫଗାନିସ୍ତାନ ଉପରେ ପୁଣି ଏକ ବଡ ଏୟାର ଷ୍ଟ୍ରାଇକ୍ କରିଛି ପାକିସ୍ତାନ। ଯାହା ଆଫଗାନିସ୍ତାନର ବହୁତ କ୍ଷତି କରିଛି।

ପାକିସ୍ତାନୀ ଆକ୍ରମଣରେ ଉର୍ଗୁନ୍ ଜିଲ୍ଲାରେ ତିନି ଜଣ ସ୍ଥାନୀୟ କ୍ରିକେଟରଙ୍କ ମୃତ୍ୟୁ ହୋଇଛି। ଏହା ପରେ, ଆଫଗାନିସ୍ତାନ ଏକ ବଡ଼ ପଦକ୍ଷେପ ନେଇ ପାକିସ୍ତାନରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ସିରିଜରୁ ଓହରିଯାଇଛି।

ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ACB) ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ ପାକିସ୍ତାନ ଦ୍ୱାରା ଏକ ଆକ୍ରମଣରେ ଟାର୍ଗେଟ ହୋଇଥିବା ଉର୍ଗୁନ୍ ଜିଲ୍ଲାର କ୍ରିକେଟର୍ କବିର, ସିବଘାତୁଲ୍ଲା ଏବଂ ହାରୁନଙ୍କ ମୃତ୍ୟୁ ପାଇଁ ACB ଗଭୀର ଶୋକ ପ୍ରକାଶ କରୁଛି। ଏହି ଖେଳାଳିମାନଙ୍କ ସହିତ ଆଉ ପାଞ୍ଚ ଜଣ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇଥିଲେ, ଏଥି ସହ ସାତ ଜଣ ଆହତ ହୋଇଥିଲେ। ଖେଳାଳିମାନେ ମ୍ୟାଚ ଖେଳିବା ପାଇଁ ଶରଣା ଯାଇଥିଲେ। ସେଠାରୁ ଉର୍ଗୁନ୍ ଫେରିବା ପରେ ସେମାନଙ୍କୁ ଟାର୍ଗେଟ କରାଯାଇଥିଲା।

ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏକ ତ୍ରିରାଷ୍ଟ୍ରୀୟ ସିରିଜରେ ଆଫଗାନିସ୍ତାନ, ଶ୍ରୀଲଙ୍କା ଏବଂ ପାକିସ୍ତାନ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ, ଆଫଗାନିସ୍ତାନ ଏଥିରେ ଭାଗ ନେବାକୁ ମନା କରି ଦେଇଛି। ତ୍ରିରାଷ୍ଟ୍ରୀୟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ରାୱଲପିଣ୍ଡିରେ ଅନୁଷ୍ଠିତ ହେବାର ଥିଲା ଏବଂ ଫାଇନାଲ୍ ସମେତ ବାକି ମ୍ୟାଚ୍ ସବୁ ଲାହୋରରେ ଅନୁଷ୍ଠିତ ହେବାର ଥିଲା।