ଆମେରିକାରେ ‘ନୋ କିଙ୍ଗ୍ ପ୍ରୋଟେଷ୍ଟ’
ଟ୍ରମ୍ପଙ୍କ ବିରୋଧରେ ଆମେରିକା ଇତିହାସର ସବୁଠୁ ବଡ଼ ବିକ୍ଷୋଭ ପ୍ରଦର୍ଶନ
ରାସ୍ତାକୁ ଓହ୍ଲାଇଲେ ୭୦ ଲକ୍ଷ ଲୋକ
ୱାଶିଂଟନ, ୧୯/୧୦: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ଲୋକ। ଟ୍ରମ୍ପଙ୍କ ଶାସନ ପ୍ରତିବାଦରେ ଦେଖାଦେଇଛି ବିଶାଳ ପ୍ରତିବାଦ। ଆମେରିକା ଇତିହାସର ସବୁଠାରୁ ବଡ଼ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଆମେରିକାର ୫୦ଟି ପ୍ରଦେଶର ୨୭୦୦ ସ୍ଥାନରେ ଟ୍ରମ୍ପଙ୍କ ନୀତି, ବିଶେଷକରି ତାଙ୍କର ଟ୍ରାନ୍ସଜେଣ୍ଡର ବିରୋଧୀ ବୟାନ ଏବଂ ଅନ୍ୟାନ୍ୟ କେତେକ ନିଷ୍ପତ୍ତି ବିରୋଧରେ ୭୦ ଲକ୍ଷରୁ ଅଧିକ ଲୋକ ପ୍ରତିବାଦ କରୁଛନ୍ତି। ‘ନୋ କିଙ୍ଗସ୍ ପ୍ରୋଟେଷ୍ଟ’ ନାଁରେ ଏହି ବିକ୍ଷୋଭ କରାଯାଉଛି।
ଏହି ବିଶାଳ ପ୍ରତିବାଦରେ ବିଭିନ୍ନ ସାମାଜିକ, ରାଜନୈତିକ ଏବଂ ନାଗରିକ ଗୋଷ୍ଠୀ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ମହିଳା ଅଧିକାର ପାଇଁ କାମ କରୁଥିବା ସଂଗଠନଠାରୁ ଆରମ୍ଭ କରି ପରିବେଶ କର୍ମୀ ଏବଂ ଟ୍ରମ୍ପ ପ୍ରଶାସନର ନୀତିର ବିରୋଧୀ ସାମିଲ ଥିଲେ। ପ୍ରତିବାଦକାରୀମାନେ ଟ୍ରମ୍ପଙ୍କ ଶାସନକୁ ସମାଲୋଚନା କରିଥିଲେ ଏବଂ ‘ଏବେ ଆଉ ନୁହେଁ’ (ନୋ ମୋର୍) ଏବଂ ‘ଆମକୁ ପରିବର୍ତ୍ତନ ଦରକାର’ (ୱି ନିଡ୍ ଚେଞ୍ଜ) ଭଳି ସ୍ଲୋଗାନ ଦେଇଥିଲେ। ଟ୍ରମ୍ପଙ୍କ ଏକଛତ୍ରବାଦ ଆଉ ସହ୍ୟ କରାଯିବ ନାହିଁ” ସ୍ଲୋଗାନ ଉଠାଯାଉଛି।
ଟ୍ରମ୍ପଙ୍କ ବିଭିନ୍ନ ନୀତି, ବିଶେଷକରି ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଅଧିକାର ବିରୋଧରେ ତାଙ୍କର କାର୍ଯ୍ୟ ବିରୁଦ୍ଧରେ ଏହି ପ୍ରତିବାଦ କରାଯାଉଛି। ଗର୍ଭପାତ ଅଧିକାର ଉପରେ କଟକଣା, ଜଳବାୟୁ ପରିବର୍ତ୍ତନ ପାଇଁ ଲକ୍ଷ୍ୟ ରଖାଯାଇଥିବା ନୀତି ଏବଂ ସାମାଜିକ ଅସମାନତା ବୃଦ୍ଧି ଭଳି ବିଭିନ୍ନ ନୀତି ବିରୋଧରେ ତେଜିଛନ୍ତି ସାରା ଜନତା।
କେବଳ ଆମେରିକାରେ ନୁହେଁ, ସମଗ୍ର ୟୁରୋପରେ ଟ୍ରମ୍ପଙ୍କ ବିରୋଧରେ ପ୍ରତିବାଦ ଦେଖିବାକୁ ମିଳିଛି। ଲଣ୍ଡନରେ ଶହ ଶହ ପ୍ରଦର୍ଶନକାରୀ ଆମେରିକୀୟ ଦୂତାବାସ ବାହାରେ ଏକାଠି ହୋଇ ବିକ୍ଷୋଭ କରିଛନ୍ତି। ତେବେ ଟ୍ରମ୍ପଙ୍କ ସହଯୋଗୀ ଏହି ଆନ୍ଦୋଳନକୁ ଘୃଣା ଆମେରିକା ରାଲି ବୋଲି କହିଛନ୍ତି।