ପ୍ୟାରିସ, ୧୯/୧୦: ସ୍ପଷ୍ଟ ଦିବାଲୋକରେ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଥିବା ଲୁଭ୍ର ସଂଗ୍ରହାଳୟରେ ବଡ଼ ଧରଣର ଡକାୟତି ହୋଇଛି। ସଂଗ୍ରହାଳୟରେ ନେପୋଲିଅନ ଏବଂ ଯୋସେଫାଇନଙ୍କ ଅଳଙ୍କାର ଚୋରି ହୋଇଯାଇଛି। ଏହା ପରେ ସଂଗ୍ରହାଳୟକୁ ତୁରନ୍ତ ଖାଲି କରାଯାଇଥିଲା। ଡକାୟତି ପରେ ସଂଗ୍ରହାଳୟକୁ ବନ୍ଦ କରିଦିଆଯାଇଛି ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି। ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।
ଫରାସୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚୋରମାନେ ସଂଗ୍ରହାଳୟରେ ପ୍ରବେଶ କରିବା ପାଇଁ ଏକ ଅତ୍ୟନ୍ତ ଯୋଜନାବଦ୍ଧ ଉପାୟ ପାଞ୍ଚିଥିଲେ। ସେମାନେ ସଂଗ୍ରହାଳୟ ସଂଲଗ୍ନ ସିନ୍ ନଦୀ ନିକଟରେ ଥିବା ଏକ ସର୍ଭିସ୍ ଫିଲ୍ଡ ଦେଇ ପ୍ରବେଶ କରିଥିଲେ ଏବଂ ତା’ପରେ ସ୍କୁଟରରେ A6 ମୋଟରୱେ ଆଡକୁ ପଳାଇ ଯାଇଥିଲେ।
ଆଜି ସକାଳ ୯ଟା ୩୦ ସମୟରେ ଏହି ଘଟଣା ଘଟିଥିଲା। ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ରାଚିଡା ଡାଟି କହିଛନ୍ତି ଯେ, ଚୋରମାନେ ମାତ୍ର ୪ ମିନିଟ୍ ସମୟ ଭିତରେ ଡକାୟତି ଘଟାଇଥିଲେ। ଚୋରମାନେ ଖସି ଯାଉଥିବା ବେଳେ ସେମାନଙ୍କ ନିକଟରୁ ଏକ ଅଳଙ୍କାର ଖସି ପଡ଼ିଥିଲା। ଯାହାକୁ ଉଦ୍ଧାର କରାଯାଇଛି।
ଲୁଭ୍ର ମ୍ୟୁଜିୟମରେ ମେସୋପଟାମିଆ, ମିଶର ଏବଂ ଶାସ୍ତ୍ରୀୟ ଯୁଗରୁ ଆରମ୍ଭ କରି ୟୁରୋପୀୟ ମୂର୍ତ୍ତି ପର୍ଯ୍ୟନ୍ତ ପ୍ରାଚୀନ ସାମଗ୍ରୀ, ମୂର୍ତ୍ତି ଏବଂ ଚିତ୍ରକଳା ପରି ୩୩,୦୦୦ ରୁ ଅଧିକ କଳାକୃତି ଓ ସୁନା ଅଳଙ୍କାର ସଂଗୃହିତ ହୋଇ ରହିଛି। ଏହାର ପ୍ରମୁଖ ଆକର୍ଷଣ ମଧ୍ୟରେ ମୋନାଲିସା, ଭେନସ୍ ଡି ମିଲୋ ଏବଂ ସାମୋଥ୍ରେସର ୱିଙ୍ଗଡ୍ ଭିକ୍ଟୋରୀ ଅନ୍ତର୍ଭୁକ୍ତ। ଏହି ସଂଗ୍ରହାଳୟକୁ ଦିନକୁ ୩୦ ହଜାର ପାଖାପାଖି ଦର୍ଶକ ଯାଆନ୍ତି।