୪ ମୋଷ୍ଟୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟାରଙ୍କୁ ଏନକାଉଣ୍ଟର: ‘ସିଗ୍ମା’ ଗ୍ୟାଙ୍ଗ ନିପାତ

ନିର୍ବାଚନ ପୂର୍ବରୁ ଘଟାଇଥାନ୍ତେ ବଡ଼ ଅପରାଧ

ନୂଆଦିଲ୍ଲୀ, ୨୩/୧୦: ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଏନକାଉଣ୍ଟର କରିଛି ପୋଲିସ। ବିହାରର ଚାରି ଜଣ ମୋଷ୍ଟ-ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ନିହତ ହୋଇଛନ୍ତି। ସେମାନେ କୁଖ୍ୟାତ ସିଗମା ଗ୍ୟାଙ୍ଗର ଅପରାଧୀ ଥିଲେ।

ଉତ୍ତର-ପଶ୍ଚିମ ଦିଲ୍ଲୀରେ ରାତି ୨ଟା ୨୦ ରେ ଗ୍ୟାଙ୍ଗଷ୍ଟର ଏବଂ ଦିଲ୍ଲୀ-ବିହାର ପୋଲିସ ଟିମ୍ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସ ଯେତେବେଳେ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଅଟକାଇବାକୁ ଚେଷ୍ଟା କଲା, ସେମାନେ ଖସିଯିବାକୁ ଚେଷ୍ଟା କରି ଗୁଳି ଚଳାଇଲେ, ସେତେବେଳେ ଏନକାଉଣ୍ଟର ହୋଇଥିଲା। ପାଲଟା ଗୁଳିଚାଳନା ସମୟରେ, ସମସ୍ତ ଚାରି ଅଭିଯୁକ୍ତ ଗୁଳି ବାଜି ଆହତ ହୋଇଥିଲେ ଏବଂ ସେମାନଙ୍କୁ ରୋହିଣୀର ଡାକ୍ତର ବାବା ସାହେବ ଆମ୍ବେଦକର ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଗ୍ୟାଙ୍ଗଷ୍ଟରମାନେ କିଏ ଥିଲେ?

ଗ୍ୟାଙ୍ଗଷ୍ଟରମାନେ ହେଲେ ରଞ୍ଜନ ପାଠକ (ବୟସ ୨୫), ବିମଲେଶ ମାହତୋ (ବୟସ ୨୫), ମନୀଷ ପାଠକ (ବୟସ ୩୩), ଏବଂ ଅମନ ଠାକୁର (ବୟସ ୨୧)। ରଞ୍ଜନ ପାଠକ ସେମାନଙ୍କର ଲିଡର ଥିଲେ।

ବର୍ଷ ବର୍ଷ ଧରି, ସିଗମା ଗ୍ୟାଙ୍ଗ ବିହାରରେ ବଟି ଆଦାୟ ଏବଂ ସୁପାରି ନେଇ ହତ୍ୟା କରିବା ଘଟଣାରେ ଜଡିତ ଥିଲା। ଏନକାଉଣ୍ଟରରେ ନିପାତ ହୋଇଥିବା ଏହି ଚାରି ଜଣ ବ୍ୟକ୍ତି ବିହାରରେ ହତ୍ୟା, ଦାଦାବଟି ଆଦାୟ ଏବଂ ସଂଗଠିତ ଅପରାଧିକ କାର୍ଯ୍ୟକଳାପ ସମେତ ଅନେକ ଜଘନ୍ୟ ଅପରାଧରେ ଲିପ୍ତ ଥିଲେ।

ରଞ୍ଜନ ପାଠକଙ୍କ ଉପରେ ୨୫,୦୦୦ ଟଙ୍କା ପୁରସ୍କାର ଥିଲା। ସେ ସୀତାମାଢ଼ି ଏବଂ ବିହାରର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପାଞ୍ଚଟି ହାଇପ୍ରୋଫାଇଲ୍ ହତ୍ୟା ସମେତ ଆଠଟି ଅପରାଧିକ ମାମଲାରେ ୱାଣ୍ଟେଡ୍ ଥିଲେ।

ଦିଲ୍ଲୀ ପୋଲିସର ଏକ ସୂତ୍ର ପ୍ରକାଶ କରିଛି ଯେ ରଞ୍ଜନ ପାଠକ ସୋସିଆଲ ମିଡିଆ ଏବଂ ଅଡିଓ ମେସେଜ ମାଧ୍ୟମରେ ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଥିଲେ।

ସଦ୍ୟତମ ଉଦ୍ଧାର ହୋଇଥିବା ଏକ ଅଡିଓ କ୍ଲିପରୁ ଜଣାପଡିଛି ଯେ, ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଗ୍ୟାଙ୍ଗ ଏକ ବଡ଼ ଅପରାଧିକ ଷଡ଼ଯନ୍ତ୍ର ରଚୁଥିଲା। ଏକ ବଡ଼ ବିସ୍ଫୋରଣ କରିଥାନ୍ତା ଏହି ଗ୍ୟାଙ୍ଗ।

ସିଗମା ଗ୍ୟାଙ୍ଗ ପ୍ରାୟ ସାତ ବର୍ଷ ଧରି ସକ୍ରିୟ ଥିଲା। ସେମାନେ ଦିଲ୍ଲୀରେ କିଛି ଦିନ ଧରି ଲୁଚି ରହିଥିଲେ। ଅପରେସନ ପୂର୍ବରୁ ପୋଲିସ କିଛି ଦିନ ଧରି ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା।