ଭୁବନେଶ୍ଵର, ୨୭/୧୦: ଓଡ଼ିଶା ଉପରେ ପଡ଼ିଲାଣି ବାତ୍ୟା ମୋନ୍ଥା ପ୍ରଭାବ। ଗଞ୍ଜାମ ଓ ଗଜପତିରେ ବର୍ଷା ଆରମ୍ଭ ହେବାରେ ଲାଗିଲାଣି। ସେ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବାତ୍ୟା ସମୀକ୍ଷା କରିଛନ୍ତି। SRC, କୃଷି ସଚିବ ଓ ଅଗ୍ନିଶମ ଡିଜିଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି।
ଏହା ପରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରି SRC ଦେଓରଞ୍ଜନ ସିଂହ କହିଛନ୍ତି ଯେ, ଆସନ୍ତା ୩୦ ପର୍ଯ୍ୟନ୍ତ ରେଡ୍ ଆଲର୍ଟ ହୋଇଥିବା ୮ ଜିଲ୍ଲାରେ ସ୍କୁଲ ଛୁଟି ରହିବ।
ଆସନ୍ତାକାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ପ୍ରଭାବିତ ୮ ଜିଲ୍ଲାରେ ସମସ୍ତ ସରକାରୀ ଅଫିସର ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ ଏହି ଜିଲ୍ଲା ଗୁଡ଼ିକରେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।
ଏହି ୮ ଜିଲ୍ଲା ଗୁଡ଼ିକ ହେଲା:- ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର। ଏହି ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।